ଓଏଏସ୍‌ ଅଫିସରଙ୍କ ଶ୍ୱଶୁର ଜେଲ ଗଲେ

ବାଲିଚନ୍ଦ୍ରପୁର,୨୪।୧୧(ସ୍ବ.ପ୍ର.): ଭୁବନେଶ୍ୱରରେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ଓଏଏସ୍‌ ଅଫିସର ପ୍ରମୋଦ ପୃଷ୍ଟିଙ୍କ ଶ୍ୱଶୁର ପ୍ରଫୁଲ୍ଲ ମହାପାତ୍ର (୮୪)ଙ୍କୁ ସୋମବାର ଯାଜପୁର ପୋଲିସ୍‌ ଗିରଫ କରି ଜିଲା ମୁଖ୍ୟ ଦୌରାଜଜ୍‌ଙ୍କ ଅଦାଲତରେ ହାଜର କରିଥିଲା। ସେଠାରେ ପ୍ରଫୁଲ୍ଲଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଯାଜପୁର ଟାଉନ୍‌ ଜେଲକୁ ପଠାଇ ଦିଆଯାଇଥିବା ତଦନ୍ତକାରୀ ଅଫିସର ଡିଏସ୍‌ପି ସଂଗ୍ରାମ ଟୁଡ଼ୁ କହିଛନ୍ତି।
ପୀଡ଼ିତା ନାବାଳିକା ଜଣକ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର। ସେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ପୂର୍ବତନ ଜୋନାଲ ଡେପୁଟି କମିଶନର ପ୍ରମୋଦ ପୃଷ୍ଟିଙ୍କ ଘରେ ଘରୋଇ ସହାୟିକା ଥିଲେ। ତାଙ୍କୁ ପ୍ରମୋଦଙ୍କ ଶ୍ୱଶୁର ପ୍ରଫୁଲ୍ଲ ବଳାତ୍କାର କରିଥିବା ପୀଡ଼ିତାଙ୍କ ମା’ ଗତ ୨ ତାରିଖରେ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ। ଏନେଇ ୩୦୬/୨୦ ନମ୍ବରରେ ଏକ ମାମଲା ରୁଜୁ ହୋଇଥିଲା। ନାବାଳିକାଙ୍କୁ ଘରେ ରଖି କାର୍ଯ୍ୟ କରାଇବା ନେଇ ପୋଲିସ ପ୍ରମୋଦଙ୍କୁ ନୋଟିସ କରିଥିଲା। ଫଳରେ ସେ ଗତ ୮ ତାରିଖ ବିଳମ୍ବିତ ରାତିରେ ଥାନାରେ ହାଜର ହେବା ପରେ ତାଙ୍କୁ ବ୍ୟକ୍ତଗତ ମୁଚାଲିକାରେ ଛଡ଼ାଯାଇଥିଲା। ସେହିପରି ପୀଡ଼ିତାଙ୍କୁ ନେଇ ପ୍ରମୋଦଙ୍କ ଘରେ ରଖାଇଥିବା କଟକ ମାହାଙ୍ଗା ଥାନା ଅଧୀନ ଜଇପୁର ଅଞ୍ଚଳର ବ୍ରହ୍ମାନନ୍ଦ ଜେନାଙ୍କୁ ମଧ୍ୟ ଜେରା ପରେ ପୋଲିସ ଛାଡ଼ି ଦେଇଥିଲା। ଏନେଇ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ୨୨ ଦିନର ଲୁଚକାଳି ଖେଳ ପରେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲଙ୍କୁ ଗିରଫ କରାଯାଇଛି। ଏଭଳି ସ୍ପର୍ଶକାତର ଘଟଣାରେ ବାଲିଚନ୍ଦ୍ରପୁର ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଥାନାଧିକାରୀ ସୁକାନ୍ତ କୁମାର ପାତ୍ରଙ୍କ ପାଖରେ ଗିରଫ ସମ୍ପର୍କିତ ଖବର ନ ଥିବା ସେ କହିଛନ୍ତି।