ପୁଅର ମୃତଦେହ ବୋହିନେଲେ ବାପା

ରାୟଗଡ଼ା ଅଫିସ,୨୧ା୩: ମୃତଦେହକୁ ମିଳିଲାନି ମହାପ୍ରୟାଣ ଗାଡ଼ି। ରାୟଗଡ଼ା ସହରରେ ୯ବର୍ଷର ପୁଅ ଆକାଶର ମୃତଦେହକୁ ବାପା ସୁରଧର ବେନିଆ କାନ୍ଧରେ ଦେଢ଼ କ.ମି. ବୋହି ନେଉଥିବାର ଦୃଶ୍ୟ ରବିବାର ଦେଖିବାକୁ ମିଳିଛି। ପରିବାର ଓ ସମ୍ପର୍କୀୟମାନେ କାନ୍ଦି କାନ୍ଦି ମୃତଦେହ ବୋହି ନେଉଥିବାର ଦୃଶ୍ୟ କଳାହାଣ୍ଡିର ଦାନ ମାଝିଙ୍କ କଥାକୁ ସୁରଧର ମନେ ପକାଇଦେଇଛି। ସୂଚନା ଅନୁଯାୟୀ, ଆକାଶକୁ ଝାଡ଼ାବାନ୍ତି ହେଉଥିଲା। ରବିବାର ସକାଳେ ସେ ଗୁରୁତର ହୋଇ ପଡ଼ିଥିଲେ। ବାପା ଓ ପରିବାର ଲୋକେ ତାଙ୍କୁ ଜିଲା ମୁଖ୍ୟ ଚକିତ୍ସାଳୟକୁ ନେଇଥିଲେ। ମେଡିକଲ କାଜୁଆଲିଟି ଦାୟିତ୍ୱରେ ଥିବା ଡାକ୍ତର ରାଜେନ୍ଦ୍ର ସୋରେନ୍‌ ଆକାଶଙ୍କ ପ୍ରାଥମିକ ଚିକିତ୍ସା କରି ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଘୋଷଣା କରିଥିଲେ। ଦୀର୍ଘ ସମୟ ଧରି ପୁଅର ମୃତଦେହ ଡାକ୍ତରଖାନା ପରିସରରେ ପଡ଼ିରହିଥିଲେ ମଧ୍ୟ ନେବା ମହାପ୍ରୟାଣ ଗାଡ଼ିର କୌଣସି ସୁବିଧା ମଳି ନ ଥିଲା। ଶେଷରେ ବାଧ୍ୟହୋଇ ସୁରଧର ପୁଅର ମୃତଦେହକୁ ନିଜ କାନ୍ଧରେ ବୋହି ଚାଲି ଚାଲି ଘରକୁ ନେଇ ସତ୍କାର କରିଥିବା କହିଛନ୍ତି । ମୃତଦେହ ବୋହିନେବା ସମୟର ଭିଡିଓ ଭାଇରାଲ ହେବା ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସିଡିଏମ୍‌ଓ ଡା. ଲାଲମୋହନ ରାଉତରାୟ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।