ଝିଅର ମୃତଦେହ ଆଣିବା ପାଇଁ ଭିକ୍ଷା ମାଗିଲେ ବାପା

ପିପିଲି,୧୭।୩(ସ୍ବ.ପ୍ର.):ପୁରୀ ଜିଲା କଣାସ ଥାନା ଅନ୍ତର୍ଗତ ବେଣାଗାଁ ଅଞ୍ଚଳର ଗଜେନ୍ଦ୍ର ହରିଚନ୍ଦନଙ୍କ କ୍ଷେତ୍ରରେ ଏକ ଦୁଃଖଦ ଘଟଣା ଘଟିଛି। ଗଜେନ୍ଦ୍ରଙ୍କ ଝିଅ ସୁମିତ୍ରାଙ୍କୁ ଅପହରଣ କରି ପରେ ବେଙ୍ଗାଲୁରୁରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହେଲେ ଝିଅର ମୃତଦେହ ନେଇଯିବା ପାଇଁ ସ୍ଥାନୀୟ ପୋଲିସ ପରିବାର ଲୋକଙ୍କୁ ଜଣାଇଥିଲେ ମଧ୍ୟ ଅର୍ଥ ବାଧକ ସାଜିଛି। ଫଳରେ ଗତ ୧୧ଦିନ ହେବ ସୁମିତ୍ରାଙ୍କ ମୃତଦେହ ବେଙ୍ଗାଲୁରୁରେ ପଡ଼ିରହିଛି। ଝିଅର ମୃତଦେହ ଆଣିବା ପାଇଁ ଗଜେନ୍ଦ୍ର ସକ୍ଷମ ହୋଇପାରୁ ନ ଥିବାରୁ ପୋଲିସଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କୌଣସିଠାରୁ ସହାୟତା ମିଳୁନାହିଁ। ଶେଷରେ ଝିଅର ମୃତଦେହକୁ ଫେରାଇ ଆଣିବା ପାଇଁ ଗଜେନ୍ଦ୍ର ପିପିଲିର ଚାନ୍ଦୁଆ ବଜାରରେ ଦୋକାନ, ବଜାର ବୁଲି ଭିକ୍ଷା ମାଗୁଥିବା ଗୁରୁବାର ଦେଖିବାକୁ ମିଳିଛି। ଗଜେନ୍ଦ୍ରଙ୍କଠାରୁ ଏହି ଦୁଃଖଦ ଘଟଣା ଶୁଣି ଅନେକେ ତାଙ୍କୁ ସାହାଯ୍ୟ କରୁଥିବା ବେଳେ ଅନ୍ୟ କେତେଜଣ ପ୍ରଶାସନର ଅଣଦେଖାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି।
ଅଭିଯୋଗ ଅନୁସାରେ, ୨୦୨୧ ଏପ୍ରିଲ ୨୬ରେ ସୁମିତ୍ରାଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଅପହରଣ କରିନେଇଥିଲେ। ଏ ନେଇ ସୁମିତ୍ରାଙ୍କ ବାପା ଗଜେନ୍ଦ୍ର ଉକ୍ତ ମାସ ୩୦ତାରିଖରେ କଣାସ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଥାନା ପକ୍ଷରୁ ଅଭିଯୋଗ ଗ୍ରହଣ କରାଯାଇ ନ ଥିଲା। ପରେ ଅପହରଣକାରୀ ଯୁବକ ସୁମିତ୍ରାଙ୍କୁ ବିବାହ କରି ବେଙ୍ଗାଲୁରୁ ନେଇଯାଇଥିଲେ। ସେଠାରେ ନିର୍ଯାତନା ଦିଆଯାଉଥିବା ନେଇ ବାପାଙ୍କୁ ଫୋନ କରି ସୁମିତ୍ରା ଜଣାଇଥିଲେ। ଏପରିକି ଗତ ୬ ତାରିଖରେ ସୁମିତ୍ରାଙ୍କ ମୃତ୍ୟୁ ଘଟିଥିବା ଓ ଅପହରଣ ଯୁବକ ବେଙ୍ଗାଲୁରୁ ଥାନାରେ ଅଟକ ଥିବା ସ୍ଥାନୀୟ ପୋଲିସ ପକ୍ଷରୁ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯାଇ ମୃତଦେହ ନେଇଯିବା ପାଇଁ କୁହାଯାଇଥିଲା। ହେଲେ ଗଜେନ୍ଦ୍ର ଦିନ ମଜୁରିଆ ହୋଇଥିବାରୁ ଏତେ ଦୂରରୁ ମୃତଦେହ ଆଣିବାରେ ଅକ୍ଷମତା ପ୍ରକାଶ କରିଥିଲେ। ଝିଅର ମୃତଦେହ ଫେରାଇ ଆଣିବା ଲାଗି ପ୍ରଶାସନକୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି ନ ଦେବାରୁ ଗଜେନ୍ଦ୍ର ଜାତୀୟ ଦଳିତ ଆଦିବାସୀ ମାଇନରିଟି ମହାସଂଘକୁ ଜଣାଇଥିଲେ। ହତ୍ୟାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ସୁମିତ୍ରାଙ୍କ ମୃତଦେହକୁ ଫେରାଇ ଆଣିବାକୁ ମହାସଂଘ ପକ୍ଷରୁ ଦାବି କରିବା ସହ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଧାରଣା ଦେଇଥିଲେ। ଫଳରେ ପୋଲିସ ଆଲୋଚନା କରି ଝିଅର ମୃତଦେହ ଫେରାଇ ଆଣିବାଲାଗି ୨୦ ହଜାର ଟଙ୍କା ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କୁହାଯାଇଥିବା ବେଳେ ଟଙ୍କା ନୁହେଁ ଝିଅର ମୃତଦେହ ଫେରାଇ ଆଣିବା ଲାଗି ଗଜେନ୍ଦ୍ର ଓ ଦଳିତ ମହାସଂଘ ଦାବି କରିଥିଲେ। ଚାରିଆଡ଼ୁ ନିରାଶ ହେବା ପରେ ଝିଅର ମୃତଦେହ ଫେରାଇ ଆଣିବା ପାଇଁ ଗଜେନ୍ଦ୍ର ଗୁରୁବାର ଏକ ଡବା ଧରି ପିପିଲିରେ ବିଭିନ୍ନ ଦୋକାନ ବଜାର ବୁଲି ଭିକ୍ଷା ମାଗୁଥିଲେ।