ଖଣ୍ଡପଡ଼ା,୩୦ା୪(ଅଜୟ କୁମାର ମହାରଣା): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ରୟତି ଢୋଲମରା ଗ୍ରାମପଞ୍ଚାୟତ ଅଧୀନ ମଇଁଶିବିନ୍ଧା ଗ୍ରାମର ଜନୈକ ଗରିବ ଚାଷୀ ଭଗବାନ ନାୟକଙ୍କ ପୁତ୍ର ନାରାୟଣ (୪୯)ଙ୍କ ବଜ୍ରପାତରେ ମୃତ୍ୟୁ ହୋଇଥିବା ଜଣାଯାଇଛି।
ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ନାରାୟଣ ଗୁରୁବାର ଭୋର ସାଢେ ପାଞ୍ଚଟା ସମୟରେ ଏକ ଝୁଡ଼ିରେ ଖତ ନେଇ ନିଜ ବିଲରେ ପକାଇବାକୁ ଯାଇଥିଲେ। ବିଲରୁ ଫେରିବା ସମୟରେ ଅଦିନିଆ କାଳବୈଶାଖୀ ହଠାତ୍ ମାଡ଼ିଆସିଲା। ବିଜୁଳି ଘଡଘଡି ମାରିବା ଦାରା ଉକ୍ତ ବଜ୍ରପାତରେ ଘଟଣାସ୍ଥଳରେ ନାରାୟଣ ଭୂମିରେ ଟଳି ପଡ଼ିଥିଲେ। ସେହି ବାଟ ଦେଇ ଗ୍ରାମର କିଛି ପିଲା ତୋଟାକୁ ଆମ୍ବ ଗୋଟାଇବା ପାଇଁ ଯାଉଥିବା ବେଳେ ତାଙ୍କୁ ତଳେ ପଡ଼ିଥିବା ଦେଖି ସଙ୍ଗେ ସଙ୍ଗେ ଫେରି ଆସି ଗ୍ରାମରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ପରିବାର ଲୋକ ଗ୍ରାମବାସୀଙ୍କ ସହାୟତାରେ ଘଟଣାସ୍ଥଳକୁ ଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଗଣିଆ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ଡାକ୍ତର ନାରାୟଣଙ୍କୁ ମୃତ ଘୋଷଣା କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଦଶପଲ୍ଲା ପଠାଇଥିବା ପରିବାରଙ୍କ ପକ୍ଷରୁ ସୂଚନା ମିଳିଛି।
ଏନେଇ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ମୃତ ଚାଷୀ ଜଣକ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ହୋଇଥିବାରୁ ପରିବାର ଲୋକ ଅତି ଦୁଃଖରେ ମ୍ରିୟମାଣ ହୋଇ ଭାଙ୍ଗି ପଡ଼ିଥିବା ଜଣାଯାଇଛି। ତାଙ୍କ ପରିବାରକୁ ସରକାରଙ୍କ ତରଫରୁ ଆବଶ୍ୟକୀୟ ଆର୍ଥିକ ସହାୟତା ଯୋଗାଇ ଦିଆଯିବାକୁ ପରିବାର ତଥା ଗ୍ରାମବାସୀଙ୍କ ତରଫରୁ ତହସିଲ,ବ୍ଲକ ଓ ଜିଲା ପ୍ରଶାସନକୁ ଦାବି କରିବା ସହିତ ସ୍ଥାନୀୟ ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ମୃତକଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି।