ସ୍ଲୁଇସ୍‌ ଗେଟ୍‌ର ଫାଟକ ମରାମତି କଲେ ଚାଷୀ

ପଦ୍ମପୁର, ୪ା୮(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତର ମେଳକସାହି ଠାରେ ଅବସ୍ଥିତ ସ୍ଲୁଇସ ଗେଟର ଫାଟକକୁ ସୋମବାର ଚାଷୀ ମାନେ ମିଳିତ ଉଦ୍ୟମରେ ମରାମତି କରିଛନ୍ତି। କଞ୍ଚୁଡ଼ି ନଦୀ ଉପରେ ଅବସ୍ଥିତ ଏହି ସ୍ଲୁଇସ ଗେଟ୍‌ ଉପରେ ଜଳସେଚନ ପାଇଁ ସ୍ଥାନୀୟ ପଦ୍ମପୁର, ସୁଗୋ, ଏଡ଼ତାଳ, ଲୁଙ୍ଗା ଓ ଭଦ୍ରକ ବ୍ଲକର ସାହାଡ଼ା ପଞ୍ଚାୟତର ଚାଷୀମାନେ ନିର୍ଭର କରିଥାନ୍ତି। ବର୍ଷାଦିନରେ ଗେଟ୍‌ ପକାଇ ନଦୀର ଜଳକୁ ଅଟକ ରଖାଯାଇ ଚାଷ କାର୍ଯ୍ୟରେ ବ୍ୟବହାର କରାଯିବା ସହ ବନ୍ୟା ନିୟନ୍ତ୍ରଣ କରାଯାଇଥାଏ। ଦୀର୍ଘ ୨୦ ବର୍ଷ ପୂର୍ବେ ନିର୍ମିତ ଏହି ସ୍ଲୁଇସ୍‌ ଗେଟର ୭ଟି ଫାଟକ ମଧ୍ୟରୁ ୪ଟି ଫାଟକ କଳଙ୍କି ଲାଗି ଫୁଟି ଯାଇଥିଲା। ଫଳରେ ଜଳକୁ ଅଟକ ରଖିବା ସମ୍ଭବ ହେଉନଥିଲା। ଏହାକୁ ନେଇ ଗ୍ରାମବାସୀ ଭଦ୍ରକ ଜିଲାପାଳ ଜଳସେଚନ ବିଭାଗର ବିଭାଗୀୟ କର୍ମକର୍ତ୍ତାଙ୍କୁ ବିଭିନ୍ନ ସମୟରେ ଳିଖିତ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର କୌଣସି ପ୍ରତିକାର କରାଯାଇ ନ ଥିଲା। ସାମ୍ପ୍ରତିକ ପରିସ୍ଥିତିରେ ବାସୁଦେବପୁର ବ୍ଲକରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଚାଷୀମାନେ ଜଳ ଅଭାବରୁ ଚାଷ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଥିଲା। ଏହାକୁ ନେଇ ଚାଷୀମାନେ ଏକଜୁଟ ହୋଇ ୩୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାରେ ବାଉଁଶ ଓ ଦିସ୍ତା ବ୍ୟବହାର କରି ସ୍ଲୁଇସ୍‌ ଗେଟ୍‌ର ଫାଟକକୁ ବନ୍ଦ କରିଛନ୍ତି। ଫଳରେ ଜଳକୁ ଅଟକାଇ ରଖି ଚାଷ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ ବୋଲି ଚାଷୀ ମାନେ ମତ ରଖିଛନ୍ତି। ଏହି ମରାମତି କାର୍ଯ୍ୟକୁ ଧନେଶ୍ୱର ନାୟକ, ମୁକ୍ତିକାନ୍ତ ନାୟକ, ହରେକୃଷ୍ଣ ନାୟକ, ସୁବାଷ ନାୟକ, ପ୍ରଶାନ୍ତ ନାୟକ, ଶୁକଦେବ ନାୟକଙ୍କ ସହ ଶତାଧିକ ଚାଷୀ ସହଯୋଗ କରିଥିବା ବେଳେ ଶତାଧିକ ଗ୍ରାମବାସୀ ସହଯୋଗ କରିଛନ୍ତି।