୨୮ରୁ ଢେଙ୍କାନାଳ ପ୍ରସିଦ୍ଧ ଲକ୍ଷ୍ମୀପୂଜା

ଢେଙ୍କାନାଳ,୫ା୧୦(ରତନ ନାୟାର)ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବ ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ। ନଭେମ୍ବର ୮ ରେ ଏହି ପୂଜା ଉତ୍ସବର ଭସାଣି ପର୍ବ ଅନୁଷ୍ଠିତ ହେବ। ଏ ନେଇ ଜିଲା ପ୍ରଶାସନର ଆବାହକତ୍ୱରେ ମିଳିତବଜାର ପୂଜା କମିଟି ଏବଂ ସମସ୍ତ ପୂଜା ପ୍ରତିଷ୍ଠାନ କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ବୁଧବାର ପୁରୁଣା ଜିଲା ପରିଷଦ ହଲଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ଜିଲାପାଳ ସରୋଜ କୁମାର ସେଠୀ କହିଲେ ଯେ, ପ୍ରସିଦ୍ଧ ଲକ୍ଷ୍ମୀପୂଜା ଢେଙ୍କାନାଳର ଗଣପର୍ବ। ଐତିହ୍ୟ, ସଂସ୍କୃତି ଓ ପରମ୍ପରା ବହନ କରୁଥିବା ଏହି ଲକ୍ଷ୍ମୀପୂଜା ଉତ୍ସବକୁ ଅଧିକ ସୁନ୍ଦର କରି ଶାନ୍ତି, ଶୃଙ୍ଖଳା ଓ ଭାଇଚାରା ମଧ୍ୟରେ ପାଳନ କରିବା ପାଇଁ ସେ ସମସ୍ତଙ୍କୁ ନିବେଦନ କରିଥିଲେ। ଏଥିସହିତ ମହିଷାପାଟଠାରେ ହେବାକୁ ଥିବା ପଲ୍ଲିଶ୍ରୀ ମେଳାକୁ ମଧ୍ୟ ସରସ ସୁନ୍ଦର କରିବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବୈଠକରେ ଯୋଗଦେଇ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ଓ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ମିଳିତବଜାର ପୂଜା କମିଟି ସଭାପତି ଜ୍ଞାନେନ୍ଦ୍ର ବେହେରା ଢେଙ୍କାନାଳର ଏହି ଗଣପର୍ବକୁ ସଫଳତାର ସହ ଆୟୋଜନ କରିବା ପାଇଁ ଜିଲା ପ୍ରଶାସନ ପୂର୍ଣ୍ଣ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ଜିଲା ପରିଷଦ ସଭାପତି ଅର୍ଚ୍ଚନା ପୁହାଣ ଓ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ପ୍ରମୁଖ ପୂଜା ପରିଚାଳନା ପ୍ରଶାସନର ଯେତିକି ଦାୟିତ୍ୱ, ଆମ ସମସ୍ତଙ୍କର ସେତିକି ଦାୟିତ୍ୱ ବୋଲି କହିଥିଲେ। ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଲକ୍ଷ୍ମୀପୂଜା ସହିତ ପଲ୍ଲିଶ୍ରୀ ମେଳାକୁ ସରସ ସୁନ୍ଦର କରି ଆୟୋଜନ କରିବା ଉପରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ପୌର ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ, ଡେପୁଟି କଲେକ୍ଟର ଲକ୍ଷ୍ମୀଧର ରାଉତ, ପୂଜା ପ୍ରତିଷ୍ଠାନ ପକ୍ଷରୁ ବିଶ୍ୱନାଥ ବେହେରା, ରବି ନାରାୟଣ ମହାନ୍ତି, ଗୋପାଳଚନ୍ଦ୍ର ପାତ୍ର, ସୁରେନ୍ଦ୍ର ମିଶ୍ର, ନବୀନଚନ୍ଦ୍ର ନାରାୟଣ ଦାସ, ରାମଚନ୍ଦ୍ର ପାତ୍ର, ସୁକାନ୍ତ କୁମାର ମିଶ୍ର, ପ୍ରଦ୍ୟୁମ୍ନ ରଥ, ହୃଦୟାନନ୍ଦ ମହାନ୍ତି, ଅମରେନ୍ଦ୍ର ଦାସ, ଅଥୟ କୁମାର ସାହୁ, ସାଗିର ମହମ୍ମଦ, ପୀତବାସ ସାହୁ, ଦୀପକ ପ୍ରସାଦ ପଟନାୟକ, ଗୋପାଳଚନ୍ଦ୍ର ସାହୁ, ସୁଧାଂଶୁ କୁମାର ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ। ଉପଜିଲାପାଳ ନାରାୟଣଚନ୍ଦ୍ର ନାୟକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଅବନୀ ମିଶ୍ର ସଂଯୋଜନା କରିଥିଲେ।