ପରିବା ବିକାଳିଙ୍କୁ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ର ମାଡ଼

ବଲାଙ୍ଗୀର ଅଫିସ,୨୦।୪: କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ସହରରେ ଭିଡ଼ ପରିଚାଳନାକୁ ଗୁରୁତ୍ୱ ଦିଆଯାଉଛି। ଏଥିଯୋଗୁ ସୋମବାର ବଲାଙ୍ଗୀର ମ୍ୟୁନିସିପାଲିଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ ରାସ୍ତାକଡ଼ ପରିବା ବିକାଳିଙ୍କୁ ସ୍ଥାନାନ୍ତର କରିବାବେଳେ ଅଭାବନୀୟ ଘଟଣ ଘଟିଛି। ମ୍ୟୁନିସିପାଲିଟି ଅଧିକାରୀଙ୍କ ମାଡରେ ଜଣେ ପରିବା ବିକାଳି ବେହୋସ୍‌ ହୋଇଯିବା ପରେ ବ୍ୟବସାୟୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବଲାଙ୍ଗୀର ଡେଲିମାର୍କେଟରୁ ବିକ୍ରମ ଛକ ଓ ପିପି ଏକାଡେମୀ ଛକ ରାସ୍ତାକଡ଼ରେ ପରିବା ବିକାଳିମାନେ ପରିବା ବିକ୍ରି ପାଇଁ ବସିଥିଲେ। ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ ସଦସ୍ୟମାନେ ରାସ୍ତାକଡରୁ ହଟି ବିଭୂତିପଡା ସାପ୍ତାହିକ ପ୍ରାଙ୍ଗଣ ଓ ପ୍ୟାଲେସଲାଇନ୍‌ ବିଦ୍ୟୁତ୍‌ ଅଫିସ ପଡିଆକୁ ଯିବାକୁ ବୁଝାଉଥିଲେ। ଏହି ସମୟରେ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଓ ପରିବା ବିକାଳିଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ା ଏଥିରେ ଉତ୍ତ୍ୟକ୍ତ ହୋଇ ସ୍କ୍ବାଡ୍‌ର ଜଣେ ଅଧିକାରୀ ଚନ୍ଦନଭାଟି ଗ୍ରାମର ଜଣେ ପରିବା ବିକାଳି ରାକେଶ ମେହେରଙ୍କୁ ମାଡ ମାରିଥିଲେ ା ଏଥିରେ ସେ ବେହୋସ ହୋଇଯାଇଥିଲେ ା ଏହାକୁ ଅନ୍ୟ ପରିବା ବିକାଳିମାନେ ବିରୋଧ କରିବାରୁ ଅନ୍ୟ ୪ ବିକାଳି ମହେନ୍ଦ୍ର ମେହେର, ତୁଲସୀ ମେହେର, ଫକୀର ମେହେର ଓ ଅନ୍ୟ ଜଣେ ବୃଦ୍ଧ ପରିବା ବିକାଳିଙ୍କୁ ସମ୍ପୃକ୍ତ ଅଧିକାରୀ ଜଣକ ମାଡ ମାରିଥିଲେ ା ବେହୋସ ରାକେଶଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା। ପରେ ଉତ୍ତ୍ୟକ୍ତ ପରିବା ବିକାଳିମାନେ ଟାଉନ୍‌ ଥାନାକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବଡବଡିଆଙ୍କୁ ଛାଡି ଅଧିକାରୀ ଓ କର୍ମଚାରୀମାନେ ଛୋଟ ବେପାରୀଙ୍କ ଉପରେ ଦାଉ ସାଧୁଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ। ତୁରନ୍ତ ମାଡ ମାରିଥିବା ଅଧିକାରୀଙ୍କୁ ଗିରଫ କରିବାକୁ ସେମାନେ ଦାବି କରିଥିଲେ। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ବିଧାୟକ ନରସିଂହ ମିଶ୍ର ଥାନା ସମ୍ମୁଖକୁ ଆସି ବିକ୍ଷୋଭକାରୀ ପରିବା ବିକାଳିଙ୍କୁ ବୁଝାଇଥିଲେ ା ପରେ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଏ ନେଇ ମ୍ୟୁନିସିପାଲିଟି ଅଧିକାରୀ ବିପିନ ବିହାରୀ ଦୀପଙ୍କୁ ପଚରାଯିବାରୁ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ ପରିବା ବିକାଳିଙ୍କୁ ବୁଝାଇଥିଲେ। କୌଣସି ପରିବା ବିକାଳିଙ୍କୁ ମାଡ ହୋଇନାହିଁ ବୋଲି ସେ କହିଛନ୍ତି ା