କରୋନାରେ ମୃତ ୧୨ ଶିକ୍ଷକଙ୍କ ପରିବାରକୁ ମିଳିବ ଆର୍ଥତ୍କ ସହାୟତା

ଭୁବନେଶ୍ୱର,୨୦ା୮(ବ୍ୟୁରୋ): ରାଜ୍ୟରେ ମହାମାରୀ କରୋନା ଲଢ଼େଇରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ, ଶିକ୍ଷକମାନେ ଆଗଧାଡ଼ିର ଯୋଦ୍ଧା ସାଜିଛନ୍ତି। ୫ ମାସ ହେଲାଣି ନିଜ ଜୀବନକୁ ବାଜି ଲଗାଇ ନିଃସ୍ବାର୍ଥପର ଭାବେ ସେବା କରିଚାଲିଛନ୍ତି। ସାରା ରାଜ୍ୟରେ ୬୨ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷା କର୍ମଚାରୀ କରୋନା ଲଢ଼େଇରେ ସାମିଲ ହୋଇନ୍ତି। ଇତିମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇ ରାଜ୍ୟର ୧୩ଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ମୃତ ୧୨ଜଣ ଶିକ୍ଷକଙ୍କୁ ରାଜ୍ୟ ସରକାର କରୋନା ଯୋଦ୍ଧା ଭାବେ ଘୋଷଣା କରିବା ସହିତ ସେମାନଙ୍କ ପରିବାରକୁ ଆର୍ଥତ୍କ ସହାୟତା ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇ କହିଛନ୍ତି, କରୋନା ଲଢ଼େଇରେ ମୃତ ୧୨ଜଣ ଶିକ୍ଷକଙ୍କ ଘରକୁ ଯାଇ ଶିକ୍ଷା ବିଭାଗର କର୍ମଚାରୀମାନେ ସେମାନଙ୍କ ପରିବାରବର୍ଗଙ୍କୁ ଆଶ୍ୱାସନା ଦେବା ସହିତ କରୋନା ଯୋଦ୍ଧା ଭାବେ ଘୋଷଣା କରିଛନ୍ତି। ଗତ ୪ତାରିଖରେ ଅର୍ଥ ବିଭାଗ ପକ୍ଷରୁ ଜାରି ସର୍କୁଲାର୍‌ ଅନୁସାରେ ସେମାନଙ୍କ ପରିବାରକୁ ସମସ୍ତ ପ୍ରକାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ତେବେ ଅନ୍ୟ ଜଣେ ମୃତ ଶିକ୍ଷକଙ୍କ ପରିବାରର କେହି ନାହାନ୍ତି। ନୟାଗଡ଼ ଜିଲାର ଯୁବ ଶିକ୍ଷକ ସୀମାଞ୍ଚଳ ଶତପଥୀଙ୍କ କରୋନାରେ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ମା’ ଓ ବାପା ଆତ୍ମହତ୍ୟା କରିଦେଇଥିଲେ। ଏବେ ତାଙ୍କ ପରିବାରରେ କେହି ନ ଥିବାରୁ ଏଥିପାଇଁ କ’ଣ ବିକଳ୍ପ ବ୍ୟବସ୍ଥା କରାଯାଇପାରିବ ସେ ଦିଗରେ ସରକାର ଚିନ୍ତା କରୁଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।