ନକଲି ଡାକ୍ତର ନେଲେ ନାବାଳିକାଙ୍କ ଜୀବନ

ମାଲକାନଗିରି,୧୯ା୭: ମାଲକାନଗିରି ଜିଲା ମାଥିଲି ଥାନା ସଦର ମହକୁମା ଆମ୍ବାଗୁଡ଼ା ପଞ୍ଚାୟତ ମାର୍କାମ୍‌ଗଡ଼ା ଗ୍ରାମରେ ଜଣେ ନକଲି ଡାକ୍ତରଙ୍କ ପାଇଁ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ରାମ ବାରିକଙ୍କ ଝିଅ ଲଳିତା (୧୪)। ଝିଅର ପେଟ ଯନ୍ତ୍ରଣା ହେବାରୁ ମାଥିଲି ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଏକ ଦୋକାନରୁ ଔଷଧ ନେବାପାଇଁ ବାପା ରାମ ଆସିଥିଲେ। ମାତ୍ର ଔଷଧ ଦୋକାନ ମାଲିକ ଲଳିତାଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲେ। ଇଞ୍ଜେକ୍ସନ ନେବା ପରେ ଲଳିତା ଅଧିକ ଅସୁସ୍ଥ ହୋଇ ପଡିଥିଲେ। ପରିବାର ଲୋକେ ତାଙ୍କୁ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଲଳିତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ନାବାଳିକାଙ୍କ ମୃତ୍ୟୁ ପରେ ମାଥିଲି ପୋଲିସ ସମ୍ପୃକ୍ତ ନକଲି ଡାକ୍ତରଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।