ପୁଣି ରାସ୍ତାକୁ ଓହ୍ଲାଇଲେ ଅଧ୍ୟାପକ, କର୍ମଚାରୀ

ଭୁବନେଶ୍ୱର, ୧୯।୯ (ବ୍ୟୁରୋ):ପୁଣି ରାସ୍ତାକୁ ଓହ୍ଲାଇଛି ନିଖିଳ ଓଡ଼ିଶା ୬୬୨ (+୨ ଓ +୩) ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ। ପ୍ରସ୍ତାବିତ ତ୍ରୁଟିପୂର୍ଣ୍ଣ ଗ୍ରେଡ୍‌ ପେ’ ସଂଶୋଧନ ଓ ସମାନ କାମକୁ ସମାନ ଦରମା ବ୍ୟବସ୍ଥା ଦାବି କରି ରବିବାର ଲୋୟର ପିଏମ୍‌ଜିରେ ବିକ୍ଷୋଭ କରାଯାଇଥିଲା। ଏଥିରେ ୩୦ ଜିଲାର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସାମିଲ ହୋଇଥିଲେ। ସଂଘ ସଭାପତି ଗୋଲକ ନାୟକଙ୍କ ଅଭିଯୋଗ ଅନୁଯାୟୀ, ଅନୁମତି, ସ୍ବୀକୃତି ଓ ସହବନ୍ଧନ ଥିବା ୬୬୨ ବର୍ଗ କଲେଜଗୁଡିକରେ କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀ ଉଚ୍ଚଶିକ୍ଷା ବିଭାଗର ନୀତିନିୟମ ଆଧାରରେ ୧୯୯୨ ପୂର୍ବରୁ ନିଯୁକ୍ତି ପାଇଥିଲେ। ଅପରପକ୍ଷେ ୪୮୮ ବର୍ଗର କଲେଜରେ ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀମାନେ ୧୯୯୨ ପରେ ସର୍ତ୍ତଭିତ୍ତିକ ନିଯୁକ୍ତି ପାଇଥିଲେ। ୪୮୮ ବର୍ଗ ନିଯୁକ୍ତିକୁ ସରକାର ନିଷିଦ୍ଧ ଘୋଷଣା କରିଥିଲେ ହେଁ ୨୦୦୯ ଅନୁଦାନ ନୀତି ବଳରେ ସେମାନଙ୍କୁ ଅନୁଦାନ ପରିସରଭୁକ୍ତ କରାଯାଇଛି। ୨୦୧୪ ଓ ୨୦୧୮ ଅନୁଦାନ ଆଇନରେ ଉଭୟ ୬୬୨ ଓ ୪୮୮ ବର୍ଗ କଲେଜଗୁଡିକୁ ସମାନ ଦରମା ପ୍ରଦାନ କରି ସରକାର ତାରତମ୍ୟ ଦୂର କରିଥିବାବେଳେ ୨୦୦୮ ଜି.ଓ ଏବଂ ୨୦୦୯ ଜି.ଓ ନିମନ୍ତେ ତାରତମ୍ୟ ପ୍ରଦର୍ଶନ କରାଯାଉଥିଲା। ଏହି ଅସଙ୍ଗତି ଦୂର କରିବା ପାଇଁ ବାରମ୍ବାର ଦାବି ପରେ ୭ମ ବେତନ କମିଶନ ବିଜ୍ଞପ୍ତି ଅନୁଯାୟୀ ଉଭୟଙ୍କ ଦରମା ସମାନ କରାଯାଇଥିଲା। ୨୦୨୨ ଜାନୁୟାରୀ ୧ରୁ ୮ ମାସ ଧରି ଉଭୟ ବର୍ଗର ଅଧ୍ୟାପକମାନେ ସମାନ ଦରମା ପାଇଆସୁଛନ୍ତି। ମାତ୍ର ଉକ୍ତ ନିୟମକୁ ସଂଶୋଧନ କରିବା ପାଇଁ ଗତ ସେପ୍ଟେମ୍ବର ୮ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ଉଚ୍ଚ ପଦାଧିକାରୀମାନେ ବୈଠକ କରି ଏହି ନୂଆ ନିୟମକୁ ବଦଳାଇ ପୁଣି ଅସଙ୍ଗତି ସୃଷ୍ଟି କରିବା ପାଇଁ ମସୁଧା କରିଛନ୍ତି। ଏହି ନୂତନ ନିୟମ କାର୍ଯ୍ୟକାରୀ ହେଲେ ୬୬୨ ବର୍ଗ ଅଧ୍ୟାପକମାନେ ୪୮୮ ବର୍ଗର ଡେମୋନଷ୍ଟ୍ରେଟର, ଲାଇବ୍ରେରିଆନ୍‌, ପିଇଟିଙ୍କଠାରୁ ମଧ୍ୟ କମ୍‌ ଦରମା ପାଇବେ। ଏପରି କି ଏହି ବର୍ଗର ଅଣଶିକ୍ଷା କର୍ମଚାରୀମାନେ ମଧ୍ୟ ୪୮୮ ବର୍ଗ ଅଣଶିକ୍ଷା କର୍ମଚାରୀଙ୍କଠାରୁ କମ୍‌ ଦରମା ପାଇବେ। ଯଦି ସରକାର ଏହି ନିୟମରେ ସଂଶୋଧନ ଆଣନ୍ତି ତେବେ ପରିସ୍ଥିତି ଗମ୍ଭୀର ହୋଇପଡିବ। ଗ୍ରେଡ୍‌-ପେ ଆଧାରରେ ସମସ୍ତଙ୍କୁ ସମାନ ଦରମା ବ୍ୟବସ୍ଥା କରା ନ ଗଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।