ଆଜି ବିଧାନସଭାରେ ଆଗତ ହେବ ବ୍ୟୟ ମଞ୍ଜୁରୀ ବିଲ୍‌

ଭୁବନେଶ୍ୱର, ୩୧ା୩(ବ୍ୟୁରୋ):୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଶୁକ୍ରବାର ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ ଆଗତ ହେବ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବିଲ୍‌ ବିଧାନସଭାର ଅନୁମୋଦନ ପାଇଁ ଉପସ୍ଥାପନ କରିବେ। ଏହା ପୂର୍ବରୁ କେତେକ ପ୍ରମୁଖ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବା ପରେ ବୁଧବାର ୨୫ଟି ବିଭାଗର ଖର୍ଚ୍ଚ ଦାବି ଗିଲୋଟିନରେ ପାରିତ ହୋଇଛି। ଆସନ୍ତା ଆର୍ଥିକବର୍ଷ ସକାଶେ ରାଜ୍ୟ ସରକାର ୨ ଲକ୍ଷ ୩୦ ହଜାର କୋଟିର ବଜେଟ ପ୍ରସ୍ତୁତ କରିଛନ୍ତି। ଗତ ଆର୍ଥିକବର୍ଷ ତୁଳନାରେ ବଜେଟର ଆକାର ୩୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ବଜେଟରେ ସ୍ବାସ୍ଥ୍ୟ, କୃଷି, ଶିକ୍ଷା, ପାନୀୟ ଜଳ, ମିଶନ ଶକ୍ତି, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ଭିତ୍ତିଭୂମି ଉନ୍ନୟନ, ଜନଜାତି ବିକାଶ, ପୁଞ୍ଜିନିବେଶ ଉପରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତାବର୍ଷ ରାଜ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଯୁବ, ମହିଳା, ଚାଷୀ, ଉଦ୍ୟୋଗୀ, ଏସ୍‌ସି/ଏସ୍‌ଟି ବର୍ଗଙ୍କୁ ଆକୃଷ୍ଟ କରିବାକୁ ବଜେଟରେ ମାଳମାଳ ନୂଆ ଯୋଜନା କରାଯାଇଛି। ରାଜ୍ୟ ସରକାର ବଜେଟରେ ୨୪ଟି ନୂଆ ଯୋଜନା ପାଇଁ ବ୍ୟୟବରାଦ କରିଛନ୍ତି। ସେଥିରେ ୮ଟି ମୁଖ୍ୟମନ୍ତ୍ରୀ ଯୋଜନା ରହିଛି। ଏ ସମସ୍ତ ଯୋଜନା ପାଇଁ ବଜେଟରେ ୭ ହଜାର ୪୦୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।