ପ୍ରଭାବିତ ହେବ ପରୀକ୍ଷା: ସମୟ ପରିବର୍ତ୍ତନ ଦାବି

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ଏପ୍ରିଲରୁ ରାଜ୍ୟରେ ଅସହ୍ୟ ହୋଇଛି ଖରାତାତି। ସକାଳ ୯ଟା ପରେ ଘରୁ ବାହାରିବା ବି କଷ୍ଟ ହୋଇପଡୁଛି। ଏଭଳି ସ୍ଥିତିରେ ପିଲାମାନେ କିପରି ସ୍କୁଲ ଯିବା ଆସିବା କରିବେ ତାହାକୁ ନେଇ ଚିନ୍ତା ବଢ଼ିଛି। ପୁଣି ଆଗକୁ ପରୀକ୍ଷା ରହିଛି। ତାପମାତ୍ରା ବୃଦ୍ଧି ପାଠପଢ଼ା ସହ ପରୀକ୍ଷାକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଆସନ୍ତା ୨୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏହା ମେ’ ୭ ପର୍ଯ୍ୟନ୍ତ ଚାଲିବ। ସେହିପରି ଯୁକ୍ତ୨ ପରୀକ୍ଷା ଆସନ୍ତା ୨୮ ତାରିଖରୁ ଆରମ୍ଭ ହୋଇ ମେ’ ୩୧ରେ ସରିବ। ମାଟ୍ରିକ ପରୀକ୍ଷା ସକାଳ ୮ଟାରୁ ୧୦ଟା ଓ ଯୁକ୍ତ୨ ପରୀକ୍ଷା ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ହେବ। ଠିକ୍‌ ଏହି ସମୟରେ ହିଁ ତାପମାତ୍ରା ବଢ଼ିଥାଏ। ଏବେ ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାରୁ ଅଭିଭାବକ, ଛାତ୍ରୀଛାତ୍ର ଓ ଶିକ୍ଷକମାନେ ଚିନ୍ତାପ୍ରକଟ କରିଛନ୍ତି। ତେଣୁ ବର୍ତ୍ତମାନ ସ୍କୁଲ ସମୟ ସହିତ ଖରାଛୁଟି ଓ ପରୀକ୍ଷା ସମୟକୁ ମଧ୍ୟ ପରିବର୍ତ୍ତନ ପାଇଁ ଦାବି ହେଉଛି।
ଏ ନେଇ ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି, ଦୁଇବର୍ଷ ହେବ ପିଲାଙ୍କ ପାଠପଢ଼ାରେ ଯେଉଁ କ୍ଷତି ହୋଇଛି, ତାହାକୁ ଭରଣା କରିବା ପାଇଁ ସରକାର ଖରାଛୁଟିକୁ କମାଇ ଦେବା ପଦକ୍ଷେପ ସ୍ବାଗତଯୋଗ୍ୟ। କିନ୍ତୁ ସେହି ସମୟରେ ଡହ ଡହ ଖରାରେ କ୍ଲାସ୍‌ କରିବା ମଧ୍ୟ ଅସମ୍ଭବ। ତେଣୁ ସରକାର ଆଉଥରେ ଏ ଦିଗରେ ଚିନ୍ତା କରନ୍ତୁ। ଆଗାମୀ ଦୁର୍ଗାପୂଜା ଛୁଟି ହେଉ କିମ୍ବା ଅନ୍ୟାନ୍ୟ ଛୁଟିକୁ କାଣ୍ଟଛାଣ୍ଟ କରାଯାଉ। ସେହିଭଳି ଆଗକୁ ଆରମ୍ଭ ହେବାକୁ ଥିବା ପରୀକ୍ଷା ସମୟ ମଧ୍ୟ ପରିବର୍ତ୍ତନ କରାଯାଉ। ୮ଟା ପରିବର୍ତ୍ତେ ୭ଟାରୁ ଆରମ୍ଭ କରିବା ପାଇଁ ସରକାର ଯୋଜନା କରନ୍ତୁ ବୋଲି ପ୍ରକାଶ ମହାନ୍ତି ପରାମର୍ଶ ଦେଇଛନ୍ତି। ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, ବର୍ତ୍ତମାନ ଖରା ସହି ହେଉନି। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ହେବ ଓ ତାପମାତ୍ରା ଆହୁରି ବଢ଼ିବ। ତେଣୁ ସ୍କୁଲରେ ସକାଳ ସାଢ଼େ ୬ଟାରୁ ୯ଟା ପର୍ଯ୍ୟନ୍ତ କ୍ଲାସ୍‌ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଅନୁରୋଧ କରିଛୁ। ସେହିଭଳି ପରୀକ୍ଷା ସମୟ ମଧ୍ୟ ୭ଟାରୁ ଆରମ୍ଭ କରାଯାଉ ବୋଲି ଭଟ୍ଟ କହିଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ସ୍କୁଲ ସାଢ଼େ ୧୦ଟାରେ ଛୁଟି ହେଉଥିବାବେଳେ ମେ’ ୨ରୁ ଜୁନ୍‌ ୫ ପର୍ଯ୍ୟନ୍ତ ସକାଳ ୬ଟାରୁ ୯ଟା ଯାଏ ପାଠପଢ଼ା ହେବ। ସେହିଭଳି ଜୁନ୍‌ ୬ରୁ ୧୬ ତାରିଖ ଖରାଛୁଟି ଘୋଷଣା କରାଯାଇଛି। ଖରାଛୁଟି ଅବଧି ଓ ସ୍କୁଲ ପାଠପଢ଼ା ସମୟକୁ ନେଇ ଅସନ୍ତୋଷ ଦେଖାଦେଇଛି। ଜୁନ୍‌ ବଦଳରେ ମେ’ରେ ଖରାଛୁଟି କରିବାକୁ ମଧ୍ୟ ଦାବି ହେଉଛି। ତେଣୁ ନିକଟରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏପରି ପ୍ରସ୍ତାବ ସମ୍ପର୍କରେ ସୂଚନା ଦେବା ସହ ସେମିତି ପରିସ୍ଥିତି ଆସିଲେ ବିଭାଗ ବିଚାର କରିବ ବୋଲି କହିଥିଲେ। ଏବେ ତାପମାତ୍ରା ୪୩ ଡିଗ୍ରୀ ଟପିଥିବାରୁ ତୁରନ୍ତ ଏହା ଉପରେ ପଦକ୍ଷେପ ନେବାକୁ ଦାବି ହେଉଛି।