ପୋଖରୀ ଖୋଳା ବେଳେ ମିଳିଲା ଅନନ୍ତ ସାଇ ବିଷ୍ଣୁ ମୂର୍ତ୍ତି

ଭଣ୍ଡାରିପୋଖରୀ, ୫।୫ (ଡି.ଏନ.ଏ)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ କୁରିଗାଁ ପଞ୍ଚାୟତ ଷଠଗାଁର ରମେଶ ପରିଡ଼ା ନାମକ ଜଣେ ବ୍ୟକ୍ତିଙ୍କର ଦୁଧେଇ ନାଳ ନିକଟରେ ଥିବା ନିଜସ୍ବ ଜମିରେ ରବିବାର ପୋଖରୀ ଖୋଳାଯାଉଥିଲା। ଏହି ସମୟରେ ସେଠାରୁ ଅନନ୍ତ ସାଇ ବିଷ୍ଣୁଙ୍କର ଏକ ମୂର୍ତ୍ତି ଉଦ୍ଧାର ହୋଇଛି। ମୂର୍ତ୍ତିର ଉଚ୍ଚତା ୨ ଫୁଟ ହେବ। ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିକୋଣରୁ ଏହା ଏକ ଅକ୍ଷୂର୍ଣ୍ଣ ବଉଳ ମାଳିଆ ପ୍ରସ୍ତରରେ ନିର୍ମିତ ୧୦ମ ଶତାବ୍ଦୀର ମୂର୍ତ୍ତି। ଏହି ମୂର୍ତ୍ତିରେ ସପ୍ତ ଫେଣି ଅନନ୍ତ ଶେଷନାଗ ଉପରେ ବିଷ୍ଣୁ ଶୟନ କରିଥିବା ବେଳେ ମାତା ଲକ୍ଷ୍ମୀ ପ୍ରଭୁଙ୍କ ପାଦ ସେବା କରୁଛନ୍ତି। ପ୍ରଭୁଙ୍କ ନାଭି ଅଂଶରୁ ଏକ ପଦ୍ମ ନାଡ଼ରୁ ଫୁଲ ବାହାରିଛି। ଶ୍ରୀ ବିଷ୍ଣୁଙ୍କ ଚାରି ହସ୍ତ ମଧ୍ୟରୁ ଦୁଇ ହସ୍ତରେ ଶଙ୍ଖ, ଚକ୍ର ଥିବାବେଳେ ଗୋଟିଏ ହସ୍ତ ମସ୍ତକରେ ଆଉ ଏକ ହସ୍ତ ଜାନୁ ଉପରେ ରହିଛି। ଏହା ଏକ ବିରଳ ମୂର୍ତ୍ତି ବୋଲି ସ୍ଥାନୀୟ ଗବେଷକ ବିଶ୍ବମ୍ବର ରାଉତ ମତବ୍ୟକ୍ତ କରିଛନ୍ତି।
ପ୍ରକଶ ଯେ, ଏକ ଜେସିବି ସାହାଯ୍ୟରେ ପୋଖରୀ ଖୋଳା ଚାଲିଥିବା ବେଳେ ପ୍ରାୟ ୭ ଫୁଟ ତଳୁ ଏହି ମୂର୍ତ୍ତି ବାହାରିଥିଲା। ପ୍ରଥମେ ମୂର୍ତ୍ତିକୁ ଗ୍ରାମର ପ୍ରତ୍ୟେକ୍ଷ ଦେବୀ ମା’ ସୁନମୁହିଁ ମନ୍ଦିରରେ ରଖାଯାଇଥିଲା। ଏହି ଦୁର୍ଲଭ ମୂର୍ତ୍ତି ଚୋରି ହୋଇଯିବ ଭାବି ରମେଶ ତାଙ୍କ ଘର ପାଖରେ ରଖିଛନ୍ତି। ମୂର୍ତ୍ତିଟିକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ଲୋକଙ୍କ ସୁଅ ଛୁଟୁଛି। ମୂର୍ତ୍ତି ଉଦ୍ଧାର ହୋଇଥିବା ସ୍ଥାନରୁ କିଛି ପ୍ରାଚୀନ କାଳର ପ୍ରସ୍ତର ଖଣ୍ଡ ମଧ୍ୟ ବାହାରୁଛି। ଜିଲା ସଂସ୍କୃତି, ପ୍ରତ୍ନତତ୍ତ୍ୱ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ସ୍ଥାନର ଚତୁଃପାର୍ଶ୍ୱ ଖନନ କରାଇଲେ ଆହୁରି କିଛି କୀର୍ତ୍ତିରାଜି ଉଦ୍ଧାର ହୋଇପାରନ୍ତା ବୋଲି ଗ୍ରାମବାସୀ ମତବ୍ୟକ୍ତ କରିଛନ୍ତି।