ଗୋଧୂଳି ଲଗ୍ନରେ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ

ସମ୍ବଲପୁର,୧୭ା୬(ବ୍ୟୁରୋ): ସାତଦିନ ଧରି ଚାଲିଥିବା ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଗୁରୁବାର ଶେଷ ହୋଇଛି। ନବବିବାହିତ ଶିବପାର୍ବତୀଙ୍କୁ ପଣ୍ଡିତମାନେ ମହାଆଳତି କରିଥିଲେ। ଘଣ୍ଟ, ଶଙ୍ଖ, ହରିବୋଳ ହୁଳହୁଳିରେ ଉଛୁଳି ପଡିଥିଲା ଶୈବପୀଠ। ପାରମ୍ପରିକ ରୀତିନୀତି ଅନୁସାରେ ଗୋଧୂଳି ଲଗ୍ନରେ ଦେବଦମ୍ପତି ସ୍ବମନ୍ଦିର ପ୍ରବେଶ କରିଛନ୍ତି। ପୂର୍ବରୁ ଧାର୍ଯ୍ୟ ହୋଇଥିବା ଲଗ୍ନକୁ ଆଧାର କରି ନନ୍ଦପଡା ବମବରାଡ ବାଲୁଙ୍କେଶ୍ୱର ବାବା, ଝାଡୁଆପଡା ଲୋକନାଥ ବାବା, ମୁଦିପଡା ଜାଗେଶ୍ୱର ବାବା, ବଡବଜାର ଶୀତଳେଶ୍ୱର ବାବା, ଠାକୁରପଡା ଗୁପ୍ତେଶ୍ୱର ବାବା ଓ ମାତା ପାର୍ବତୀଙ୍କୁ ପଣ୍ଡିତ, ମନ୍ଦିର ପୂଜକ, ବରପିତା, ଯାତ୍ରା କମିଟି କର୍ମକର୍ତ୍ତା ମନ୍ଦିର ଗମ୍ଭିରାକୁ ପ୍ରବେଶ କରାଇଥିଲେ। ସିଂହାସନ ନୀତି ପୂର୍ବରୁ ପଞ୍ଚଗବ୍ୟ, ସର୍ବୋଷଧି, ପଞ୍ଚାମୃତ ଓ ଗଙ୍ଗାଜଳରେ ନବବିବାହିତ ଦେବଦମ୍ପତିଙ୍କୁ ସ୍ନାନ କରାଯାଇଥିଲା। ଧୂପଦୀପ, ଫୁଲ, ଚନ୍ଦନ ଅର୍ପଣ ପୂର୍ବକ ଶିବପାର୍ବତୀଙ୍କ ସିଂହାସନ ନୀତି ହୋଇଥିଲା। ରାତ୍ରିରେ ଶିବପାର୍ବତୀଙ୍କୁ ଅନ୍ନଭୋଗ ଲାଗି ହୋଇଥିଲା। ପରମ୍ପରାକୁ ଆଧାର କରି ନନ୍ଦପଡା ବମବରାଡ ବାଲୁଙ୍କେଶ୍ୱର ବାବାଙ୍କୁ କେବଳ ଦହିପଖାଳ ଲାଗି ହୋଇଥିଲା। କେବଳ ଝାଡୁଆପଡା ଲୋକନାଥ ବାବା ଓ ମାତା ପାର୍ବତୀଙ୍କୁ ପୁରୁଷ ଏବଂ ମହିଳା ଭକ୍ତମାନେ କାନ୍ଧରେ ବୋହି ପଡା ପରିକ୍ରମା କରି ମନ୍ଦିର ସମ୍ମୁଖରେ ପହଞ୍ଚତ୍ଥିଲେ । ଅନ୍ୟ ଠାକୁରଙ୍କୁ ଯାତ୍ରା କମିଟି କର୍ମକର୍ତ୍ତା ସ୍ବମନ୍ଦିର ପରିସର ମଣ୍ଡପରୁ ମନ୍ଦିର ଗମ୍ଭିରାକୁ ନେଇଥିଲେ।