ବିବାହ ପୂର୍ବରୁ ଲୁହରେ ଭିଜିଲା ପୂରା ପରିବାର: ଯେଉଁ ବେଦୀରେ ପଡ଼ିଥାନ୍ତା ହାତଗଣ୍ଠି, ସେଇଠି ପଡ଼ି ଚାଲିଗଲା ସଂଗ୍ରାମଙ୍କ ଜୀବନ

ବନ୍ତଳା,୨୩।୧୧(ସୁଶିତ ସାହୁ): ଆସନ୍ତା ୨ ତାରିଖରେ ହୋଇଥାନ୍ତା ବାହାଘର। ବାହାବେଦୀ ତିଆରି ହୋଇଥିଲାବେଳେ ସମସ୍ତ ଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ହେଲେ ଅଘଟଣ ଘଟି ଯେଉଁ ବେଦୀରେ ବସି ବିବାହ ହୋଇଥାନ୍ତା ସେହି ବେଦୀରେ ପଡ଼ି ଜୀବନ ଚାଲିଯିବା ସହ ସେହି ବେଦୀରେ ଶୁଦ୍ଧିକ୍ରିୟା ହେବ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ବ୍ଲକ କାଙ୍ଗୁଲା ବେନ୍ତପୁର ପଞ୍ଚାୟତ ବେନ୍ତପୁର ଗାଁରେ। ମୃତକ ହେଲେ ସଂଗ୍ରାମ ନାଥ (୩୨)।
ମିଳିଥିବା ସୂଚନା ଅନୁଯାୟୀ ଶନିବାର ଦିନ ବେନ୍ତପୁର ଗାଁର ରାହାସ ନାଥଙ୍କ ପୁଅ ସଂଗ୍ରାମ ନିଜ ଘର ଛାତ ଉପରୁ ଦିପାବଳିରେ ଲାଗିଥିବା ଲିଚୁ ଲାଇଟ୍‌ ଖୋଲିବାକୁ ଯାଇଥିଲେ। ଲିଚୁ ଖୋଲିଲାବେଳେ ଅସାବଧାନତା କାରଣରୁ ଛାତରୁ ଖସିପଡିଥିଲେ। ବିବାହ ପାଇଁ ତିଆରି ବେଦୀରେ ପଡ଼ି ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ପରିବାର ଲେକେ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସଂଗ୍ରାମଙ୍କ ଅକାଳ ବିୟୋଗରେ ଗାଁ ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Dharitri – Odisha’s No.1 Odia Daily

Share