ହାତୀ ଖୋଜୁଛନ୍ତି ଚଲାପଥ

ଢେଙ୍କାନାଳ ଅଫିସ, ୨୩ା୮: ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳରୁ ବ୍ରାହ୍ମଣୀ ନଦୀ ପାର୍‌ ହୋଇ ସଦର ଥାନା ଝାରଗାଡ଼ିଆ ଫାଣ୍ଡି ଅଧୀନ ରସାସିଂହ ଅଞ୍ଚଳକୁ ପଶି ଆସିଥିବା ୩୯ ହାତୀ ଆବାସସ୍ଥଳୀକୁ ଫେରିପାରୁନାହାନ୍ତି। ବଢ଼ିପାଣିରେ ଭରା ବ୍ରାହ୍ମଣୀ ଏବଂ ରେଙ୍ଗାଳି ଦକ୍ଷିଣ କେନାଲ ସେମାନଙ୍କ ଚଲାପଥରେ ପ୍ରତିବନ୍ଧକ ସାଜିଛି। ହାତୀପଲ ଦୁଇଭାଗରେ ବିଭକ୍ତ ହୋଇ ଇତସ୍ତତଃ ଭାବେ ବୁଲୁଥିବାବେଳେ ନଦୀକୂଳିଆ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି।
ଦୁଇଦିନ ହେଲା ଉକ୍ତ ହାତୀପଲ ୫୫ନଂ. ଜାତୀୟ ରାଜପଥ ପାର ହୋଇ ରସାସିଂହ ଅଞ୍ଚଳକୁ ତାଳ ଖାଇବାକୁ ଆସୁଥିଲେ। ପୁଣି ସକାଳୁ ମଠରଗଡ଼ି ସଂରକ୍ଷିତ ଜଙ୍ଗଲକୁ ଫେରିଯାଉଥିଲେ। ଶନିବାର ହାତୀପଲ ଦୁଇଦଳରେ ବିଭକ୍ତ ହୋଇ ଏନ୍‌ଏଚ୍‌-୫୫ ପାର ହୋଇ ରସାସିଂହ ଅଞ୍ଚଳକୁ ଯାଇଥିଲେ। ସେଥିରୁ ୨୧ ହାତୀ ରେଳଧାରଣା ପାର ହୋଇ ବ୍ରାହ୍ମଣୀ ନଦୀ କୂଳରେ ଡେରା ପକାଇଛନ୍ତି। ଅନ୍ୟ ୧୮ ହାତୀ ମଠରଗଡ଼ି ଜଙ୍ଗଲରୁ ଅନ୍ୟତ୍ର ଯିବା ପାଇଁ ଉଦ୍ୟମ କରୁଛନ୍ତି। ହେଲେ ଏଥିରେ ସମସ୍ୟା ହୋଇଛି ରେଙ୍ଗାଳି ଦକ୍ଷିଣ କେନାଲ। ଉକ୍ତ ହାତୀପଲର ନେତୃତ୍ୱ ନେଉଥିବା ଏକ ଦନ୍ତା କେନାଲ ପାର୍ଶ୍ୱରେ ଛିଡ଼ା ହୋଇ ରାସ୍ତା ଖୋଜୁଥିବା ଦେଖିବାକୁ ମିଳିଥିଲା। ତେବେ ଏଥିରେ ବିଫଳ ହେବାରୁ ହାତୀଟି ଉଗ୍ରରୂପ ଧାରଣ କରି ପ୍ରବଳ ଗର୍ଜନ କରୁଛି, ଯାହା କେନାଲ ପାର୍ଶ୍ୱବର୍ତ୍ତୀ ଗ୍ରାମବାସୀଙ୍କ ମନରେ ଛନକା ସୃଷ୍ଟି କରିଛି।
ଏ ସଂକ୍ରାନ୍ତରେ ଗଦାଶିଳା ସେକ୍ସନ ଫରେଷ୍ଟର ରବିନାରାୟଣ ନାୟକ କୁହନ୍ତି, ହାତୀପଲ ଦୁଇଟି ଦଳରେ ବିଭକ୍ତ ହୋଇଯାଇଛନ୍ତି। ଗୋଟିଏ ପଲ ନଦୀକୂଳରେ ଅଛନ୍ତି। ଅନ୍ୟପଲର ହାତୀ ମଠରଗଡ଼ି ଜଙ୍ଗଲରୁ ଅନ୍ୟତ୍ର ଯିବା ପାଇଁ ବାଟ ଖୋଜୁଛନ୍ତି। ସେମାନଙ୍କ ଉପରେ ନଜର ରଖାଯାଇଛି।