ବାଇକ୍‌ ଭାଙ୍ଗିଲା ହାତୀ, ଅଳ୍ପକେ ବର୍ତ୍ତିଲେ ଚାଳକ

କେନ୍ଦୁଝର,୧୩ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ବୃଦ୍ଧି ପାଉଥିବାରୁ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ବଢୁଛି। ବନ ବିଭାଗ ପକ୍ଷରୁ ହାତୀମାନଙ୍କୁ ଘଉଡ଼ାଇବା ସହ ମାଇକରେ ସତର୍କତା ସୂଚନା ଦେବା ସହ ହାତୀ ପାଖକୁ ନ ଯିବାକୁ ସଚେତନତା ସୃଷ୍ଟି କରୁଥିଲେ ହେଁ କୌଣସି ଫଳପ୍ରଦ ହେଉନାହିଁ।
ଏମିତି ଏକ ଘଟଣା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଯୋଡ଼ା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ଖଣ୍ଡବନ୍ଧ ନିକଟ ବିଚାକୁଣ୍ଡି ରାସ୍ତାରେ ଏକ ମାଈ ହାତୀ ବାଇକ୍‌କୁ ଗୋଡ଼ରେ ଭାଙ୍ଗିବା ଦୃଶ୍ୟ ଉକ୍ତ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ମଧ୍ୟରେ ଭୟ ସଞ୍ଚାର କରିଛ। ବାଇକ୍‌ ଆରୋହୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଏନେଇ ଡିଏଫ୍‌ଓ କେନ୍ଦୁଝର ଧନରାଜ ଡି.ଏଚ୍‌ କହିଛନ୍ତି,ହାତୀ ଚଳପ୍ରଚଳ ଅଞ୍ଚଳରେ ମାଇକ୍‌ ଦ୍ୱାରା ଲୋକଙ୍କୁ ସତର୍କ କରିବା ସହ ହାତୀ ପାଖକୁ ନ ଯିବାକୁ ସଚେତନ କରାଯାଉଛି। ହାତୀମାନଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି। ଏଥିପାଇଁ କର୍ମଚାରୀ ନିୟୋଜିତ ହୋଇ ହାତୀ ଓ ମଣିଷର ସୁରକ୍ଷା କରୁଛନ୍ତି।

ପ୍ରକାଶ ଯେ, କେନ୍ଦୁଝର ଡିଭିଜନର ବିଭିନ୍ନ ଜଙ୍ଗଲରେ ସମୁଦାୟ ୧୩୩ ହାତୀ ଅଛନ୍ତି। ସର୍ବାଧିକ ଭୂୟାଁ ଓ ଜୁଆଙ୍ଗ ପୀଢ଼ ରେଞ୍ଜରେ ୬୮ ହାତୀ ଥିବା ବେଳେ ତେଲକୋଇ ରେଞ୍ଜରେ ୨୫, ଚମ୍ପୁଆ ରେଞ୍ଜରେ ୨୨, ଘଟଗାଁ ରେଞ୍ଜରେ ୬ ଓ କେନ୍ଦୁଝର ରେଞ୍ଜରେ ୧୨ ହାତୀ ବିଚରଣ କରୁଛନ୍ତି। ପାଟଣା ଓ ବଡ଼ବିଲ ରେଞ୍ଜରେ ହାତୀ ନ ଥିବା ସୂଚନା ଦିଆ୍‌ଯାଇଛି। ହାତୀମାନେ ପିଉଥିବା ପାଣିକୁ ବିଶୋଧନ କରିବା ପାଇଁ ଜଳାଶୟଗୁଡ଼ିକରେ ବ୍ଲିଚିଙ୍ଗ ପାଉଡର, ଚୂନ, କପର ସଲଫେଟ୍‌ ଆଦି ପକାଯାଉଛି।