ଆଶା ଆଶଙ୍କାରେ ଆଶାୟୀ

ବରୀ, ୨୫। ୧୨ (ଡି.ଏନ.ଏ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କେବେ ହେବ ତାହାର ତାରିଖ ଘୋଷଣା ହୋଇନାହିଁ। ଏଭଳିସ୍ଥଳେ ଏହି ନିର୍ବାଚନ ପାଇଁ ଜାରି ହୋଇଥିବା ସଂରକ୍ଷଣ ବିଜ୍ଞପ୍ତିକୁ ନେଇ ଉଠିଥିବା ଆପତ୍ତି ଆଧାରରେ ହାଇକୋର୍ଟ ତାହାକୁ ପ୍ରତ୍ୟାହାର କରି ସାନି ବିଜ୍ଞପ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ନିର୍ବାଚନ ପାଇଁ ତାରିଖ ଘୋଷଣା ୨ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ବିଳମ୍ବ ହୋଇଯାଇପାରେ। ହେଲେ ନିର୍ବାଚନ ପ୍ରକ୍ରିୟା ଆସନ୍ତା ମାର୍ଚ୍ଚ ୮ ସୁଦ୍ଧା ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିବାରୁ ଜାନୁୟାରୀ ଦ୍ୱିତୀୟ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା ହେବା ଆଶା କରାଯାଉଛି। ଅନ୍ୟପକ୍ଷରେ ପୂର୍ବରୁ ପ୍ରକାଶିତ ସଂରକ୍ଷଣ ବିଜ୍ଞପ୍ତି ଆଧାର କରି ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହୋଇସାରିଥିବା ପ୍ରାର୍ଥିନୀ ଓ ପ୍ରାର୍ଥୀମାନେ ଏବେ ଆଶଙ୍କାରେ ପଡ଼ିଛନ୍ତି। ବିଶେଷକରି ଯାଜପୁର ବରୀ ବ୍ଲକର ୪ ଜିଲା ପରିଷଦ ଜୋନ (ନଂ. ୨୧,୨୨,୨୩ ଓ ୨୪) ଏବଂ ୨୯ଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟା/ସଭ୍ୟ, ଓ୍ବାର୍ଡ ସଭ୍ୟା/ସଭ୍ୟ ଆସନରେ ଲାଗୁ ହୋଇଥିବା ସଂରକ୍ଷଣ ବ୍ୟବସ୍ଥାରେ କ’ଣ ପରିବର୍ତ୍ତନ ଘଟିବ ତାହା ଆଶାୟୀଙ୍କୁ ବିଚଳିତ କରିଛି।
ମୁତାବକ ପଛୁଆବର୍ଗଙ୍କ ପାଇଁ ହୋଇଥିବା ସ୍ଥାନ ସଂରକ୍ଷଣରେ ବ୍ୟାପକ ପରିବର୍ତ୍ତନ ଘଟିପାରେ। ଏପରି କି ପଛୁଆବର୍ଗଙ୍କ ପାଇଁ କୌଣସି ଆସନ ସଂରକ୍ଷିତ ରହି ନ ପାରେ। କାରଣ ସୁପ୍ରିମ୍‌କୋର୍ଟଙ୍କ ରାୟ ଅନୁଯାୟୀ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ବ୍ୟବସ୍ଥା ହୋଇନାହିଁ ବୋଲି ହାଇକୋର୍ଟ ଗତ ବୁଧବାର ରାୟ ଦେଇଥିଲେ। କାରଣ ଅନ୍ୟ କେତେକ ରାଜ୍ୟର ମାମଲାରେ ସୁପ୍ରିମ୍‌କୋର୍ଟ ଗତ ୧୭ ତାରିଖରେ ରାୟ ଦେଇଥିଲେ ଯେ, କୌଣସି ଅଞ୍ଚଳରେ ଯଦି ପଛୁଆବର୍ଗଙ୍କ ଜନସଂଖ୍ୟାର ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ, ତାହାହେଲେ ସେଠାରେ ପଛୁଆବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଆସନ ଅଣସରଂକ୍ଷିତ ରହିବ। ସୁପ୍ରିମ୍‌କୋର୍ଟଙ୍କ ଏହି ରାୟକୁ ହାଇକୋର୍ଟ ଗୁରୁତ୍ୱ ଦେଇଥିବାରୁ ରାଜ୍ୟ ସରକାର ଏବେ ସଂରକ୍ଷଣ ତାଲିକାକୁ ସଂଶୋଧନ କରି ସାନି ବିଜ୍ଞପ୍ତି ପ୍ରକାଶ କରିବେ। ଏହାପରେ ପଛୁଆବର୍ଗ ଆଶାୟୀଙ୍କ ପାଇଁ ଚିନ୍ତା ବଢ଼ିଯାଇଥିବାବେଳେ ଅନ୍ୟମାନେ ମଧ୍ୟ ସଂରକ୍ଷଣ ତାଲିକା ବଦଳିବା ନେଇ ନାନା ଆଶା ଆଶଙ୍କାରେ ରହିଛନ୍ତି। ଏହାକୁ ନେଇ ପ୍ରାର୍ଥୀ ଚୟନ ପ୍ରକ୍ରିୟା ବିଳମ୍ବ ହେବା ମଧ୍ୟ ସ୍ବାଭାବିକ, ଯାହାକୁ ନେଇ ରାଜନୈତିକ ଦଳଗୁଡ଼ିକ ପାଇଁ ଅଡ଼ୁଆ ବଢ଼ିଯାଇଛି। ଏବେ ସମସ୍ତଙ୍କ ଅପେକ୍ଷା ସଂଶୋଧିତ ଚୂଡ଼ାନ୍ତ ସରଂକ୍ଷଣ ତାଲିକାକୁ, ଯାହାକୁ ରାଜ୍ୟ ସରକାର ଆସନ୍ତା ୭ ତାରିଖରେ ରାଜ୍ୟ ନିର୍ବାଚନ କମିଶନଙ୍କଠାରେ ଦାଖଲ କରିବେ।