ପ୍ରଭାବିତ ହୋଇଛି ଅର୍ଥନୀତି

ଭୁବନେଶ୍ୱର,୧୦ା୯(ବ୍ୟୁରୋ):କୋଭିଡ୍‌-୧୯ ମହାମାରୀ ଯୋଗୁ ରାଜ୍ୟର ଅର୍ଥନୀତି ପ୍ରଭାବିତ ହୋଇଛି। ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ(ଜିଏସ୍‌ଡିପି), ରାଜସ୍ବ ବଳକା ହ୍ରାସ ପାଇବା ସହିତ ଋଣ ଭାର ଓ ରାଜସ୍ବ ନିଅଣ୍ଟ ବୃଦ୍ଧି ପାଇଛି। ଶିକ୍ଷା ଓ ସ୍ବାସ୍ଥ୍ୟସେବା ବ୍ୟୟ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ପଛରେ ରହିଛି। ୨୦୧୯-୨୦ ଆର୍ଥିକବର୍ଷରେ ପୁଞ୍ଜିଗତ ବ୍ୟୟ ପୂର୍ବବର୍ଷ ଗୁଡ଼ିକଠାରୁ କମ୍‌ ରହିଛି। ଗୁରୁବାର ବିଧାନସଭାରେ ଉପସ୍ଥାପିତ ହୋଇଥିବା କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।
ରିପୋର୍ଟରେ କୁହାଯାଇଛି, ୨୦୧୮-୧୯ରେ ରାଜସ୍ବ ବଳକା ୧୪,୧୯୦ କୋଟି ଟଙ୍କା ଥିବାବେଳେ ୨୦୧୯-୨୦ରେ ଏହା ୨୪୩୦ କୋଟି ଟଙ୍କାକୁ ଖସି ଆସିଛି। ଅର୍ଥାତ୍‌ ରାଜସ୍ବ ବଳକା ପୂର୍ବବର୍ଷ ତୁଳନାରେ ୮୩ ପ୍ରତିଶତ କମ୍‌ ରହିଛି। ୨୦୧୯-୨୦ରେ ରାଜସ୍ବ ନିଅଣ୍ଟ ମଧ୍ୟ ବୃଦ୍ଧି ପାଇଛି। ୨୦୧୮-୧୯ରେ ରାଜସ୍ବ ନିଅଣ୍ଟ ୧୦,୧୫୭ କୋଟି ଟଙ୍କା ଥିବା ବେଳେ ୨୦୧୯-୨୦ରେ ଏହା ୧୮, ୮୧୯ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ପୂର୍ବବର୍ଷ ତୁଳନାରେ ନିଅଣ୍ଟ ୮୫ ପ୍ରତିଶତକୁ ବୃଦ୍ଧି ପାଇଥିଲା। ତେବେ ପୂର୍ବବର୍ଷ ତୁଳନାରେ ରାଜସ୍ବ ବୃଦ୍ଧି ଘଟିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୧୮-୧୯ରେ ରାଜସ୍ବ ୯୯,୫୪୬ କୋଟି ଥିବାବେଳେ ୨୦୧୯-୨୦ରେ ୧,୦୧,୫୬୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ରାଜସ୍ବ ପ୍ରାପ୍ତି ମୋଟ ବଜେଟ ଆକଳନଠାରୁ ୧୩,୬୯୮ କୋଟି ଟଙ୍କା ଥିଲା। ସେହିପରି ନିଜସ୍ବ ଟିକସ ପୂର୍ବବର୍ଷ ତୁଳନାରେ ୬.୫୯% ବୃଦ୍ଧି ପାଇଥିବାବେଳେ ଅଣଟିକସ ୨.୫୯% ବୃଦ୍ଧି ପାଇଛି। ରାଜସ୍ବ ବ୍ୟୟ ୨୦୧୮-୧୯ ତୁଳନାରେ ୧୬.୧୪% ବୃଦ୍ଧି ପାଇଛି। ଅନ୍ୟ ରାଜ୍ୟ ତୁଳନାରେ ସାମାଜିକ ସେବା ଏବଂ ଅର୍ଥନୈତିକ ପୁଞ୍ଜିଗତ ବ୍ୟୟ କ୍ଷେତ୍ରରେ ଓଡ଼ିଶା ଆଗୁଆ ରହିଛି। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭାଗଗୁଡ଼ିକ ୨୦୧୯-୨୦ ଆର୍ଥିକ ବର୍ଷରେ ୧୬,୩୦୧.୬୮ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ କରିନାହାନ୍ତି। ରାଜ୍ୟ ସରକାର ବିଭାଗଗୁଡ଼ିକୁ ୨୮,୪୬୫.୪୬ କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଥିଲେ। ସେଥିମଧ୍ୟରୁ ୧୬,୦୩୧.୬୮ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ବିଭାଗଗୁଡ଼ିକ ଦାଖଲ କରି ନ ଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।