୧ ନିୟୁତ ଟନ୍‌ ପାଉଁଶ ପରିବହନ କରିବ ପୂର୍ବତଟ ରେଳପଥ

ଭୁବନେଶ୍ୱର,୯।୧୦ (ବ୍ୟୁରୋ): ୨୦୨୦-୨୧ରେ ପଣ୍ୟ ପରିବହନରେ ନିଜର ଅଂଶ ବୃଦ୍ଧି କରିବାକୁ ପୂର୍ବତଟ ରେଳପଥ ଲକ୍ଷ୍ୟ ରଖିଛି। ସଡ଼କ ମାର୍ଗରେ ପରିବହନ ହେଉଥିବା ପଣ୍ୟକୁ ରେଳପଥ ପ୍ରତି କିପରି ଆକୃଷ୍ଟ କରାଯାଇପାରିବ ସେଥିପ୍ରତି ପୂର୍ବତଟ ରେଳପଥ ଗୁରୁତ୍ୱାରୋପ କରୁଛି। ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କ ନିର୍ଦ୍ଦେଶ ପରେ ପୂର୍ବତଟ ରେଳପଥର ବ୍ୟବସାୟ ବିକାଶ ୟୁନିଟ୍‌ (ବିଡିୟୁ) ରେଳ ଦ୍ୱାରା ଫ୍ଲାଏ ଆଶ୍‌ ପରିବହନ ସମ୍ବନ୍ଧରେ ଇତି ମଧ୍ୟରେ ଥର୍ମାଲ ପାୱାର ପ୍ଲାଣ୍ଟର ପ୍ରତିନିଧି, ଇଣ୍ଟିଗ୍ରେଟେଡ୍‌ ଷ୍ଟିଲ୍‌ ପ୍ଲାଣ୍ଟ, ଆଲୁମିନିୟମ୍‌ ସ୍ମେଲଟର ପ୍ଲାଣ୍ଟ ଏବଂ ସିମେଣ୍ଟ ପ୍ଲାଣ୍ଟର ପ୍ରତିନିଧିଙ୍କୁ ଭେଟିଛି। ଆଲୋଚନା ସମୟରେ ରେଳପଥ ଦ୍ୱାରା ଫ୍ଲାଏ ଆଶ୍‌ ପରିବହନ ଉପରେ ଦିଆଯାଇଥିବା ୪୦% ପଣ୍ୟ ପରିବହନ ରିହାତିର ଲାଭ ଉଠାଇବାକୁ ଶିଳ୍ପ ପ୍ରତିନିଧିଙ୍କୁ ପରାମର୍ଶ ଦିଆଯାଇଛି। ଅକ୍ଟୋବର ୨୦୨୦ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ଅନ୍ତତଃପକ୍ଷେ ୧ ନିୟୁତ ଟନ୍‌ ଫ୍ଲାଏ ପାଉଁଶ ପରିବହନ କରାଯାଇପାରିବ ବୋଲି ଆକଳନ କରାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ପ୍ରକାଶ ପାଇଛି।