୨୩ ଜିଲାରେ ସ୍ଥିତି ସଙ୍ଗିନ

ଭୁବନେଶ୍ୱର,୧୧ା୮(ବ୍ୟୁରୋ):ରାଜ୍ୟରେ ବର୍ଷା ଅଭାବରୁ ମରୁଡ଼ି ଆଶଙ୍କା ଦେଖାଦେଲାଣି। ରାଜ୍ୟର ୨୩ ଜିଲାରେ ସ୍ବଳ୍ପ ବର୍ଷା ଯୋଗୁ ଚାଷ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ସେହି ଜିଲାଗୁଡ଼ିକ ହେଲା ଅନୁଗୋଳ, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ବୌଦ୍ଧ, ଭଦ୍ରକ, ଦେବଗଡ଼, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦ୍ରାପଡ଼ା, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର। ଏସବୁ ଜିଲାରେ ୨୫ରୁ ୫୦ ପ୍ରତିଶତ କମ୍‌ ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଜିଲାଗୁଡ଼ିକ ଏବେ ରେଡ୍‌ ଜୋନ୍‌ରେ ରହିଛି।
ରାଜ୍ୟରେ ଏ ପର୍ଯ୍ୟନ୍ତ ସ୍ବାଭାବିକଠାରୁ ୨୯ ପ୍ରତିଶତ କମ୍‌ ବର୍ଷା ହୋଇଛି। ଜୁନ୍‌ ପହିଲାରୁ ଅଗଷ୍ଟ ୧୦ ମଧ୍ୟରେ ରାଜ୍ୟରେ ୬୮୮.୧ ମିଲିମିଟର ବଦଳରେ ୪୮୮.୬ ମିଲିମିଟର ବର୍ଷା ହୋଇଛି। ଆସନ୍ତା ସପ୍ତାହ ମଧ୍ୟରେ ବର୍ଷା ନ ହେଲେ ଧାନ ଫସଲ ଉଜୁଡିବା ଆଶଙ୍କା ବଢ଼ିଲାଣି। ଚାଷୀମାନେ ମୌସୁମୀ ବର୍ଷାକୁ ଚାହିଁ ରହିଛନ୍ତି। ଆସନ୍ତା ୧୬ରେ ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ସମଗ୍ର ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
୧୭ରେ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଆଦି ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ୧୮ରୁ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ବର୍ଷା ହେବ। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି।