ବାରଙ୍ଗ,୨୪ା୪(ଲିଙ୍ଗରାଜ ରାଉତ): କଟକ ଜିଲା ଗୋଡ଼ିସାହି ଫାଣ୍ଡି ଅନ୍ତର୍ଗତ ରତାଗଡ଼ ରେଳ ପୋଲ ନିକଟରେ ବେଆଇନ ମୋରମ ବୋଝେଇ ହାଇଓ୍ବା ଧକ୍କାରେ ଜଣେ ବାଇକ୍ଚାଳକଙ୍କ ଜୀବନ ଯାଇଛି। ପୋଲିସ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିଛି।
ପ୍ରକାଶ ଯେ, ଶୁକ୍ରବାର ଭୋର୍ ୪ଟା ସମୟରେ ବାରଙ୍ଗ ଥାନା ନିକଟସ୍ଥ ମଧୁବନଗାଁ ପାଖ ଏକ ମୁଣ୍ଡିଆରୁ ବେଆଇନ ଭାବେ ଚୋରାରେ ଚାଲାଣ ହେଉଛି ମୋରମ। ଏଠାରୁ ମୋରମ ବୋଝେଇ କରି ଓଡି ୦୯ ଟି ୨୩୫୫ ନମ୍ବର ହାଇଓ୍ବାଟି ଦ୍ରୁତଗତିରେ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତାରେ ଗୋଡ଼ିସାହି ଅଭିମୁଖେ ଯାଉଥିଲା। ଏହି ସମୟରେ ଓଡି ୦୨ ବିଜେଡ୍ ୫୨୯୩ ନମ୍ବର ବାଇକ୍ରେ ଜଣେ ଯୁବକ ବିପରୀତ ଦିଗରୁ ବାରଙ୍ଗ ପଟକୁ ଆସୁଥିଲା। ରତାଗଡ଼ ରେଳ ପୋଲ ନିକଟରେ ହାଇଓ୍ବାଟି ବାଇକ୍କୁ ସାମ୍ନାରୁ ଧକ୍କା ଦେଇଥିଲା। ବାଇକ୍ ସହ ଚାଳକ ହାଇଓ୍ବାର ଆଗଚକା ତଳେ ରହିଯାଇଥିବାରୁ ପ୍ରାୟ ୫୦ ଫୁଟ ପର୍ଯ୍ୟନ୍ତ ବାଇକ୍କୁ ଘୋଷାଡ଼ି ନେଇ ଯାଇଥିଲା। ଯାହାଫଳରେ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ହାଇଓ୍ବା ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ଆସିବା ପରେ ସାଧାରଣ ଦର୍ଶକ ଭଳି ହାଇୱା ଚାଲକ ଆସି ପୋଲିସକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ହାଇଓ୍ବକୁ ନେଇ ଫାଣ୍ଡିରେ ରଖି ଫେରାର ହୋଇଯାଇଥିଲା। ଅନ୍ୟପଟେ ବେଆଇନ ଭାବେ ଚାଲୁଥିବା ମୋରମ ଚାଲାଣ ଉପରେ ପ୍ରଶାସନର ଅଙ୍କୁଶ ରହୁ ନ ଥିବାର ଅଭିଯୋଗ ହେଉଛି। ଖୋଲାଖୋଲି ଭାବେ ଟ୍ରିପ୍ ପିଛା ୩ ହଜାର ଟଙ୍କା କରି ମୋରମ ବିକ୍ରି କରାଯାଉଛି। ଯେହେତୁ ଚୋରାରେ ଏଠାରୁ ମୋରମ ଚାଲାଣ କରାଯାଉଛି ତେଣୁ ସନ୍ଧ୍ୟା ହେବା ମାତ୍ରେ ପୁରୀ ମେନ୍ କେନାଲ ରାସ୍ତା ଚୋରା ମୋରମ ବୋଝେଇ ହାଇଓ୍ବା ଚାଳନା ସାଧାରଣ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି।