ଭୁଲ ଇଞ୍ଜେକସନ୍‌ ଦେଇଦେଲେ ଡାକ୍ତର, ଚାଲିଗଲା ୫ମାସ ଶିଶୁର ଜୀବନ!

ବୁଗୁଡା,୨୨।୨: ଡାକ୍ତର ଭୁଲ ଇଞ୍ଜେକସନ ଦେବା ଯୋଗୁ ଚାଲିଗଲା ପାଞ୍ଚ ମାସ ଶିଶୁର ଜୀବନ। ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲା ବୁଗୁଡା ସହରର ନେଳିଆବନ୍ଧ ସାହିରେ। ଏନେଇ ବୁଗୁଡା ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଥଣ୍ଡା ପଡିଛି।

ସୂଚନାଥାଉ କି, ବୁଧବାର ସକାଳେ ପାଞ୍ଚ ମାସର ଶିଶୁଟିକୁ ପରିବାର ଲୋକେ ଟିକା ଦେବା ପାଇଁ ବୁଗୁଡା ମେଡିକାଲକୁ ଆଣିଥିଲେ। ଟିକା ନେଇ ଶିଶୁଟି ଘରକୁ ଫେରିଥିଲା। ବିଳମ୍ବିତ ରାତିରେ ଶିଶୁଟି ଅସୁସ୍ଥ ହୋଇପଡିବାରୁ ପରିବାର ଲୋକେ ତାକୁ ପୁଣି ବୁଗୁଡା ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।

ପରେ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ଶିଶୁଟି ଡାକ୍ତର ଭୁଲ ଇଞ୍ଜେକସନ ଦେବା ଯୋଗୁ ତାର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଉତ୍ତ୍ୟକ୍ତ ଲୋକମାନେ ମେଡିକାଲ ଭିତରେ ପଶି ଭଙ୍ଗାରୁଜା କରିଛନ୍ତି। ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା। ଏନେଇ ବୁଗୁଡା ଡାକ୍ତରଖାନା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।