Categories: ରାୟଗଡା

ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟର ଅନୁଧ୍ୟାନ କଲେ ଜିଲାପାଳ

ରାୟଗଡ଼ା ଅଫିସ/ଗୁଡାରି (ଡି.ଏନ୍‌.ଏ.)୧୭।୪:  ରାୟଗଡ଼ା ଜିଲାପାଳ ସରୋଜ କୁମାର ମିଶ୍ର ଶନିବାର ଗୁଡାରି ବ୍ଲକ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ସେହିପରି ୫-ଟି ଅଧୀନରେ ଚାଲିଥିବା ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି।
ଗୁଡ଼ାରି ବ୍ଲକ ମଧୁବନ ପଞ୍ଚାୟତର ବଲିଗୁଡ଼ା ଗ୍ରାମକୁ ଯାଇ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଚାଲିଥିବା ପୋଖରୀ କାମ ଓ ମିଶନ ଶକ୍ତି ଗୃହ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି, ସମ୍ପାଦକ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି ବିଭିନ୍ନ ଅଭିଯୋଗ ଶୁଣିଥିଲେ। ମଧୁବନ ପଞ୍ଚାୟତର ସରପଞ୍ଚଙ୍କ ସହ ପାନୀୟ ଜଳ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଏହାପରେ ଜିଲାପାଳ ବ୍ଲକର ୬ ସ୍କୁଲ ଯଥା ଅଶଡ଼ା ଉନ୍ନିତ ଉଚ୍ଚ ବିଦ୍ୟାଳୟ, ସିରିଗୁଡ଼ି ପଞ୍ଚାୟତର ପାଞ୍ଚାୟତର ଭୁରୁକୁଡ଼ି ଏନ୍‌ଏସ୍‌ବି ହାଇସ୍କୁଲ, କଦମା ହାଇସ୍କୁଲ, ଏମ୍‌.କେ. ରାୟ ପାଞ୍ଚାୟତର ଗିରିଧାରି ହାଇସ୍କୁଲ, ଗୁଡ଼ାରୀ ସରକାରୀ ହାଇସ୍କୁଲ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ରୂପାନ୍ତରୀକରଣ କାର୍ଯ୍ୟର ତଦାରଖ କରିଥିଲେ। ସ୍କୁଲର ଭିତ୍ତିଭୂମି ଉନ୍ନତମାନର କରିବା ନିମନ୍ତେ ବିଶେଷକରି ସ୍ମାର୍ଟ ଶ୍ରେଣୀଗୃହ, ବିଜ୍ଞାନଗାର, ପାଠାଗାର, ଖେଳପଡ଼ିଆ ଆଦି ବ୍ୟବସ୍ଥା କରାଯିବl ଉପରେ ଗୁରୁତ୍ୱାରୋପ କରିଥିଲେ। ଶୀଘ୍ର ନିର୍ମାଣ କାର୍ଯ୍ୟ ସାରିବାକୁ ପରାମର୍ଶ ଦେଇଥିଲେ। ଏହି ସମୟରେ ସ୍କୁଲଗୁଡ଼ିକର ପ୍ରଧାନ ଶିକ୍ଷକ ଓ ପୁରାତନ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ। ଜିଲାପାଳଙ୍କ ଗସ୍ତବେଳେ ଗୁଡ଼ାରୀ ବିଡିଓ ନୃସିଂହ ଚରଣ ସେଠୀ, ଡିଇଓ ପୂର୍ଣ୍ଣଚନ୍ଦ୍ର ବାରିହା, ଗୁଡ଼ାରୀ ତହସିଲଦାର, ଏନ୍‌ଏସି ନିର୍ବାହୀ ଅଧିକାରୀ, ଏଇଇ, ସମ୍ପୃକ୍ତ ପଞ୍ଚାୟତଗୁଡ଼ିକର ପିଇଓ, ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ଶିକ୍ଷା ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।