ଓ୍ବେବ୍‌ ପୋର୍ଟାଲ ମୁଖ୍ୟଙ୍କ ଗୁମର ଫିଟୁଛି

ଭୁବନେଶ୍ୱର,(ବ୍ୟୁରୋ)/ବାରଙ୍ଗ, ୩୦।୮(ଡି.ଏନ.ଏ.): ଦୁଇ ବ୍ୟବସାୟୀଙ୍କୁ ମୁଣ୍ଡଜାମିନ ରଖି ଅମାନୁଷିକ ନିର୍ଯାତନା ଘଟଣାରେ ନନ୍ଦନକାନନ ଥାନା ପୋଲିସ ଶନିବାର ଲାଇଭ୍‌ କଳିଙ୍ଗ ୱେବ୍‌ ପୋର୍ଟାଲର ସମ୍ପାଦିକାଙ୍କ ସମେତ ୫ଜଣଙ୍କୁ ଗିରଫ କରିଥିଲା। ତେବେ ଚଢ଼ାଉବେଳେ ଖସିଯାଇଥିବା ମୁଖ୍ୟ ଅଭିଯୁକ୍ତ ତଥା ପୋର୍ଟାଲ ସିଇଓ ରଘୁନାଥ ସାହୁ ଓରଫ ରାଜ୍‌ ରାଜ୍ୟ ବାହରକୁ ପଳାଇଯାଇଥିବା ପୋଲିସ ଜାଣିବାକୁ ପାଇଛି। ତାଙ୍କୁ ଗିରଫ କରିବାକୁ କମିଶନରେଟ ପୋଲିସ ଦୁଇଟି ଟିମ୍‌ ଗଠନ କରିଥିବାବେଳେ ଖୁବ୍‌ଶୀଘ୍ର ସେ ଧରାପଡିବେ ବୋଲି ନନ୍ଦନକାନନ ଥାନା ଅଧିକାରୀ ବିଶ୍ୱରଞ୍ଜନ ସେନାପତି କହିଛନ୍ତି। ଅନ୍ୟପକ୍ଷରେ ତାଙ୍କ ଗଣମାଧ୍ୟମକୁ ବ୍ୟବହାର କରି ଘଟାଇଥିବା ଆପରାଧିକ କାର୍ଯ୍ୟର ଗୁମର ଫିଟିବାରେ ଲାଗିଛି। ପୂର୍ବରୁ ରାଜ୍‌ଙ୍କ ନାମରେ ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବାବେଳେ ବ୍ରହ୍ମପୁର ବଡ଼ବଜାର ଓ ନୟାପଲ୍ଲୀ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ପୋଲିସ ଜାଣିବାକୁ ପାଇଛି।
ସୂଚନାନୁସାରେ, ୨୦୨୦ ଅଗଷ୍ଟ ୪ରେ ବଡ଼ବଜାର ଥାନା ଅଧୀନ ବାଲାଜିପେଣ୍ଠ ସାହିର ସନ୍ତୋଷ କୁମାର ବେହେରା ନାମକ ଜଣେ ମଦ ବ୍ୟବସାୟୀଙ୍କୁ ବ୍ଲାକ୍‌ମେଲ୍‌ କରିଥିଲେ। ମଦ ବ୍ୟବସାୟରେ ହେରଫେର ଓ ମିଶ୍ରଣ ଖବର ପରିବେଷଣ କରିବାକୁ ଧମକ ଦେଇ ରାଜ ତାଙ୍କୁ ୫ଲକ୍ଷ ଟଙ୍କା ଦାବି କରିଥିଲେ। ଏନେଇ ସନ୍ତୋଷ ବଡବଜାର ଥାନାରେ ଅଭିଯୋଗ କରିଥିଲେ। ସେହିପରି ୨୦୨୧ ଜୁନ୍‌ ୮ରେ ନୟାପଲ୍ଲୀରେ ରହୁଥିବା ଜଣେ ଘରୋଇ କୋଚିଂ ସେଣ୍ଟର ମାଲିକ ଅଜୟ କୁମାର ବେହେରାଙ୍କୁ ରାଜ୍‌ ସାମ୍ବାଦିକ ପରିଚୟ ଦେଇ ଫୋନ୍‌ କରି କଳିଙ୍ଗ ଷ୍ଟାଡିୟମ ଗେଟ୍‌ ପାଖକୁ ଡାକିଥିଲେ। ଅଜୟ ସେଠାରେ ପହଞ୍ଚତ୍ବା ପରେ ରାଜ୍‌ ବ୍ଲାକ୍‌ମେଲ୍‌ କରିଥିଲେ। ଶୈଳଶ୍ରୀବିହାର ଏଚ୍‌ଆଇଜି-୧୬୭ରେ ଥିବା ଅଜୟଙ୍କ କୋଚିଂ ସେଣ୍ଟରରେ ଛାତ୍ରୀଙ୍କୁ ଖରାପ କାମରେ ଲଗାଯାଉଥିବାର ମିଛ ଆରୋପ କରି ରାଜ୍‌ ତାଙ୍କଠାରୁ ୨ଲକ୍ଷ ଟଙ୍କା ଦାବି କରିଥିଲେ। ନ ହେଲେ କୋଚିଙ୍ଗ ସେଣ୍ଟର ନାମରେ ଖବର ପ୍ରକାଶ ହେବ ବୋଲି କହିଥିଲେ। ଟଙ୍କା ଦେବାକୁ ରାଜି ନ ହେବାରୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ନେଇ ଅଜୟ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଏନେଇ ଥାନା ଅଧିକାରୀ ଶରତ କୁମାର ସାହୁ କହିଛନ୍ତି, ସେତେବେଳେ ଅଜୟ ଘଟଣା ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। କିନ୍ତୁ ପରେ ସେ ତାଙ୍କ ଅଭିଯୋଗରେ ମାମଲା ରୁଜୁ ନ କରିବାକୁ କହିଥିଲେ।