Categories: ଗଞ୍ଜାମ

ଦିବ୍ୟାଙ୍ଗ ଶିକ୍ଷକ ପରିବାରକୁ ବାସନ୍ଦ

ଛତ୍ରପୁର,୨୦।୬(ଡି.ଏନ.ଏ): ଗଞ୍ଜାମ ବ୍ଲକରେ ପୁଣି ଏକ ବାସନ୍ଦ ଘଟଣା ସାମନାକୁ ଆସିଛି। ଗାଁରେ ସାମାଜିକ ବାସନ୍ଦ ହୋଇଥିବା ଜଣେ ଦିବ୍ୟାଙ୍ଗ ଶିକ୍ଷକ ନ୍ୟାୟ ପାଇଁ ରବିବାର ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ହେଉଛନ୍ତି ରମ୍ଭା ଥାନା ଅଧୀନ ତାରିଣୀପଲ୍ଲୀ ଗାଁର ରବୀନ୍ଦ୍ର କୁମାର ସେଠୀ। ସାମାନ୍ୟ ଓ ବ୍ୟକ୍ତିଗତ କଳିରୁ ତାଙ୍କ ପରିବାରକୁ ୩ ମାସ ହେଲା ବାସନ୍ଦ କରାଯାଇଛି ା ପରିବାର ସହ ରବୀନ୍ଦ୍ର ଛତ୍ରପୁର ଆସି ଏସ୍‌ପିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସପିଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଛନ୍ତି। ନ୍ୟାୟ ପ୍ରଦାନ ସହ ଦୋଷୀଙ୍କୁ ଆଇନ୍‌ ଅନୁଯାୟୀ ଦଣ୍ଡ ଦେବାକୁ ସେ ଅନୁରୋଧ କରଛନ୍ତି।
ରବୀନ୍ଦ୍ର ଦର୍ଶାଇଛନ୍ତି ଯେ, ଜାନୁୟାରୀ ୧ ତାରିଖରେ ତାଙ୍କ ଘର ଆଗରେ ଗାଁ ସଭାପତି ଟ୍ରାକ୍ଟରରେ ବାଲି ଆଣି ଗଦା କରିଥିଲେ ା ୫ ଦିନ ପରେ ମଧ୍ୟ ବାଲି ନ ଉଠାଯିବାରୁ ତାଙ୍କୁ ପଚାରିଥିଲେ ମଧ୍ୟ ସେ କିଛି ଶୁଣି ନ ଥିଲେ। ଏ ସମ୍ପର୍କରେ ରବୀନ୍ଦ୍ର ରମ୍ଭା ଥାନା ପୋଲିସକୁ ଜଣାଇଥିଲେ। ପୋଲିସ ହସ୍ତକ୍ଷେପ ପରେ ବାଲି ଉଠାଯାଇଥିଲା ା ପରେ ଏହି ରାଗରେ ମାର୍ଚ୍ଚ ୬ ତାରିଖରେ ଗାଁ ସଭାପତିଙ୍କ ଦ୍ୱାରା ପରିବାରକୁ ବାସନ୍ଦ କରାଯାଇଛି। ଗାଁ ଦୋକାନୀ କୌଣସି ଜିନିଷ ଦେଉନାହାନ୍ତି ବୋଲି କୋହ ଭରା କଣ୍ଠରେ ରବୀନ୍ଦ୍ର ଅତିରିକ୍ତ ଏସପିଙ୍କୁ କହିଛନ୍ତି। ଅନ୍ୟପକ୍ଷରେ ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶକ୍ରମେ ୧୫ ତାରିଖରେ ରମ୍ଭା ଥାନା ପୋଲିସ ଉକ୍ତ ଗାଁରେ ଆଲୋଚନା ବୈଠକ କରିଥିଲା। ସେଠାରେ ପୋଲିସ ଉପସ୍ଥିତିରେ ବାସନ୍ଦ ଉଠିଥିବା କୁହାଯାଇଥିଲା ା ମାତ୍ର ପୋଲିସ ଗାଁରୁ ଯିବା ପରେ ତାଙ୍କ ପାଇଁ ଗାଁ କୋଠ ଟଙ୍କା ଖର୍ଚ୍ଚ ହୋଇଛି, ଉକ୍ତ ଟଙ୍କା ଦେବାକୁ କମିଟି ପକ୍ଷରୁ ରବୀନ୍ଦ୍ରଙ୍କୁ କୁହାଯାଇଥିଲା। ଟଙ୍କା ନ ଦେବାରୁ ବାସନ୍ଦ ବଳବତ୍ତର ରହିବ ବୋଲି ଗାଁ ସଭାରେ ଘୋଷଣା ହୋଇଥିବା ରବୀନ୍ଦ୍ର ଜଣାଇଛନ୍ତି। ଅଭିଯୋଗ ପରେ ଅତିରିକ୍ତ ଏସ୍‌ପି କହିଛନ୍ତି, ବାସନ୍ଦ ସମାଧାନ ହୋଇଛି। ଯଦି କେହି ଟଙ୍କା ମାଗିଛନ୍ତି ତାଙ୍କ ନାଁରେ ଏତଲା ଦେବାକୁ ରବୀନ୍ଦ୍ରଙ୍କୁ ପରାମର୍ଶ ଦିଆଯାଇଛି ା

୩୧ ପରିବାର ଉପରୁ ବାସନ୍ଦ ଉଠିଛି: ଏସ୍‌ପି

ଗଞ୍ଜାମ ପୋଲିସ ଜିଲାରେ ସାମାଜିକ ବାସନ୍ଦ ଘଟଣା ଥମୁନି। ବିଶେଷକରି ଛତ୍ରପୁର ନିର୍ବାଚନମଣ୍ଡଳୀ ଅଧୀନ ଛତ୍ରପୁର, ଗଞ୍ଜାମ, ରମ୍ଭା ଓ ଚମାଖଣ୍ଡି ଥାନା ଅଞ୍ଚଳରେ ଏହି ଘଟଣା ପୋଲିସକୁ ନାକେଦମ କଲାଣି ା ପୋଲିସ ଉପସ୍ଥିତିରେ ଗାଁରେ ସମାଧାନ ହୋଇ ବାସନ୍ଦ ଉଠାଯାଉଛି ଏବଂ ପୋଲିସ ଗାଁରୁ ଗଲାପରେ ପୁଣି ଉକ୍ତ ପରିବାର ଉପରେ ଜରିମାନା ପକାଯାଉଛି ା ଜରିମାନା ନ ଦେଲେ ଗାଁରେ ପୁଣି ବାସନ୍ଦ ଘୋଷଣା କରାଯାଉଛି ା ଅନ୍ୟପକ୍ଷରେ ଗତ ୩ଦିନ ମଧ୍ୟରେ ଗଞ୍ଜାମ ଓ ରମ୍ଭା ଥାନା ପୋଲିସ ସମ୍ପୃକ୍ତ ଗାଁକୁ ଯାଇ ପଞ୍ଚାୟତିରାଜ ପ୍ରତିନିଧି ଓ ଗାଁ କମିଟି ସହ ଆଲୋଚନା କରିଛି। ଉକ୍ତ ୨ ଥାନା ଅଧୀନ ୫ଟି ଗାଁର ୩୧ ପରିବାର ଉପରେ ବାସନ୍ଦ ଉଠିଥିବା ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ରବିବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି।