ଫୁଲ୍‌ ଡ୍ରେସ୍‌ ପରେଡ୍‌ ଅଭ୍ୟାସ ନିରୀକ୍ଷଣ କଲେ ଡିଜିପି

ଭୁବନେଶ୍ୱର,୨୫।୧(ବ୍ୟୁରୋ): ମହାତ୍ମାଗାନ୍ଧୀ ମାର୍ଗରେ ବୁଧବାର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହେବ। ଏଥିପାଇଁ ଶନିବାରଠାରୁ ପରେଡ଼ ଅଭ୍ୟାସ କରାଯାଉଛି। ସୋମବାର ଫୁଲ୍‌ଡ୍ରେସ୍‌ ପରେଡ଼ ଅନୁଷ୍ଠିତ ହୋଇଥିଲା। ପୋଲିସ ଡିଜି ସୁନୀଲ ବଂଶଲ ଯୋଗଦେଇ ପରେଡ଼ ଅଭ୍ୟାସକୁ ନିରୀକ୍ଷଣ କରିଥିଲେ। ଏହି ଅବସରରେ ସେ କହିଛନ୍ତି, କୋଭିଡ୍‌ ପ୍ରୋଟୋକଲ ଅନୁଯାୟୀ ସମସ୍ତ ପ୍ରସ୍ତୁତି ସରିଛି। ସାଧାରଣତନ୍ତ୍ର ଦିବସରେ ମଧ୍ୟ ସମସ୍ତ କଟକଣାକୁ କଡ଼ାକଡି଼ ପାଳନ କରାଯିବ। ଯୁବ ଆଇପିଏସ୍‌ ରୋହିତ ବର୍ମା ପରେଡ୍‌କୁ କମାଣ୍ଡ କରିବେ ବୋଲି ଡିଜିପି କହିଛନ୍ତି। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଲେ, ଡିଜିପି ନିଜେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ସାଧାରଣତନ୍ତ୍ର ଦିବସ ପାଇଁ ୫-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି। ୨୫ପ୍ଲାଟୁନ୍‌ ପୋଲିସ ଫୋର୍ସ ଜଗିବେ। ୭୦ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ ବୋଲି ସେ କହିଥିଲେ।
ଏଥର ପୋଲିସ କର୍ମଚାରୀଙ୍କୁ ନେଇ ପରେଡ଼ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ କୌଣସି ସ୍କୁଲ୍‌ କିମ୍ବା କଲେଜ୍‌ ଛାତ୍ରୀଛାତ୍ର ଯୋଗଦେବେ ନାହିଁ। କେବଳ ନିମନ୍ତ୍ରିତ ଅତିଥିମାନେ ଉପସ୍ଥିତ ରହିବେ। ପ୍ରଥମଥର ଗାନ୍ଧୀମାର୍ଗରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଯବାନଙ୍କ ଚିତ୍ତାକର୍ଷକ ପରେଡ ଦେଖିବାକୁ ମିଳିବ। ଏଥିସହ ସିଆର୍‌ପିଏଫ୍‌, ଓଡିଶା ରାଜ୍ୟ ସଶସ୍ତ୍ର ପୋଲିସ (ସପ୍ତମ ବାଟାଲିଅନ୍‌), ସ୍ବତନ୍ତ୍ର ସୁରକ୍ଷା ବାଟାଲିଅନ୍‌ (ଏସ୍‌ଏସ୍‌ଜି), ସ୍ପେଶାଲ ଅପରେସନ ଗ୍ରୁପ୍‌(ଏସ୍‌ଓଜି), ଅଗ୍ନିଶମ ଓ ଓଡ୍ରାଫ୍‌ର ଗୋଟିଏ ଲେଖାଏ ଟ୍ରୁଫ୍‌ ପରେଡ୍‌ରେ ଭାଗ ନେବେ। ସେହିପରି ୩ଟି ବ୍ରାସ୍‌ ବ୍ୟାଣ୍ଡରୁ ରାଜ୍ୟ ପୋଲିସ ବିଭାଗର ୨ଟି ବ୍ରାସ୍‌ ବ୍ୟାଣ୍ଡ ଓ ଅନ୍ୟଟି ଅଗ୍ନିଶମ ବିଭାଗର ରହିବ। ଏହି ପରେଡ଼ ସମାରୋହରେ ଜଣେ ଡିସିପି, ୫ ଅତିରିକ୍ତ ଡିସିପି, ୧୩ ଏସିପି, ୧୮ ଇନ୍ସପେକ୍ଟର, ୬୫ଜଣ ଏସ୍‌ଆଇ ଏବଂ ଏଏସ୍‌ଆଇ, ୧୦ଜଣ ହାବିଲଦାର, ୬୨ ଏପିଆର୍‌, ଟ୍ରାଫିକ ପୋଲିସର ୪ଜଣ ହାବିଲଦାର ଓ ୧୭ଜଣ କନ୍‌ଷ୍ଟେବଳ ରହିବେ। ଏଥିସହ ୧୪ଜଣ ପୋଲିସ ହାବିଲଦାର ଓ ୬୭ଜଣ କନ୍‌ଷ୍ଟେବଳ, ୫୦ଜଣ ହୋମ୍‌ଗାର୍ଡ଼, ୧୮ଜଣ ଡବ୍ଲ୍ୟୁସି ସାମିଲ ହେବେ। ଏହି ସମୟରେ ମହାତ୍ମାଗାନ୍ଧୀ ମାର୍ଗ ଏବଂ ଏହାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାଗୁଡ଼ିକୁ ସର୍ବସାଧାରଣଙ୍କ ଗମନାଗମନ ପାଇଁ ବନ୍ଦ କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।