ଶ୍ରଦ୍ଧାଳୁଙ୍କୁ ରାଧାପାଦ ଦର୍ଶନ ମନା

ପୁରୀ ଅଫିସ/ସାକ୍ଷୀଗୋପାଳ,୧୧।୧୧ (ସ୍ବ.ପ୍ର/ଡି.ଏନ୍‌.ଏ): ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ପୁରୀ ଜିଲା ପ୍ରଶାସନ ପକ୍ଷରୁ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ରାଧାପାଦ ଦର୍ଶନ ଉପରେ କଟକଣା ଜାରି ହୋଇଛି। ଆସନ୍ତା ୧୨ ଓ ୧୫ ତାରିଖରେ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯିବ ବୋଲି ବୁଧବାର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ୧୨ ତାରିଖରେ ଅଁଳା ନବମୀ ଓ ୧୫ ରେ ବଡ଼ ଏକାଦଶୀ ଥିବାରୁ ଦର୍ଶନ ଉପରେ କଟକଣା ଜାରି ହେବ।
ଅଁଳାନବମୀରେ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଓ ରାଧାପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଥାଏ। ତେବେ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ କଟକଣା ଲାଗୁ ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କଟକଣା ସମୟରେ କେବଳ ସ୍ବୀକୃତିପ୍ରାପ୍ତ ବ୍ୟକ୍ତି ଓ ସେବାୟତଙ୍କୁ ସମ୍ପୃକ୍ତ ଅଞ୍ଚଳ ଓ ମନ୍ଦିରରେ ପ୍ରବେଶ ଲାଗି ଅନୁମତି ମିଳିବ। ସେହିପରି ମନ୍ଦିରରେ ପରମ୍ପରା ଅନୁଯାୟୀ ନୀତିକାନ୍ତି ହେବ। ଅଗ୍ନିଶମ ବିଭାଗ ପକ୍ଷରୁ ମନ୍ଦିର ପରିସର ସାନିଟାଇଜ ଏବଂ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସଫେଇ କରାଯିବ। ଏନେଇ ବୁଧବାର ଉପଜିଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ସାକ୍ଷୀଗୋପାଳଠାରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସହକାରୀ ଦେବୋତ୍ତର କମିଶନର ସୁଦୀପ ମିଶ୍ର, ତହସିଲଦାର ଚିନ୍ମୟ ଜୟସିଂ, ବିଡିଓ କ୍ଷୀରୋଦ ବେହେରା, ଏସ୍‌ଡିପିଓ ଦେବଦତ୍ତ ବରାଳ, ଥାନା ଅଧିକାରୀ ଦେବୀପ୍ରସାଦ ପାତ୍ର, ବ୍ଲକ୍‌ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ମନ୍ଦିର ନିର୍ବାହୀ ଅଧିକାରୀ ବସନ୍ତ କୁମାର ପ୍ରଧାନ, ସେବାୟତ ସଂଘ ସଭାପତି ଶ୍ରୀବତ୍ସ ମହାପାତ୍ର ଏବଂ ସମ୍ପାଦକ ବିଜୟ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।