ସବୁ ନେତାଙ୍କ ମୁହଁରେ ଯୋଡ଼ାର ବିକାଶ

ଯୋଡ଼ା,୨୨ ।୩(ଡି.ଏନ.ଏ.)

କେନ୍ଦୁଝର ଜିଲା ଯୋଡ଼ା ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ଅପରାହ୍ନରେ ଯୋଡ଼ା କେନ୍ଦ୍ରୀୟ ଖେଳ ପଡିଆ ଠାରେ ଗୋଟିଏ ମଞ୍ଚରେ ହେଭିଓ୍ବେଟ ନେତାଙ୍କ ସମାଗମ ହୋଇଥିଲା। ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ଜିତୁ ପଟ୍ଟନାୟକ, ଧନୁର୍ଜୟ ସିଦ୍ଧୁଙ୍କ ସମେତ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, କେନ୍ଦୁଝର ଏମ୍‌ପି ଚନ୍ଦ୍ରାଣି ମୁର୍ମୁ, ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ବରିଷ୍ଠ ଉପସଭାପତି କୁଶ ଆପଟ୍ଟ, ଜିଲା ବିଜେଡି ମହିଳା ସଭାପତି ରମଣୀ ନାଏକ ପ୍ରମୁଖଙ୍କ ଉପସ୍ଥିତିରେ ଯୋଡ଼ାର ୧୪ଟି ୱାର୍ଡର କାଉନସିଲର ପ୍ରାର୍ଥୀ ଓ ଅଧ୍ୟକ୍ଷ ପ୍ରାର୍ଥୀ ଡ଼ା ଜଗଦୀଶ ପ୍ରସାଦ ସାହୁଙ୍କୁ ଭୋଟ ଦେବା ପାଇଁ ଏକ ନିର୍ବାଚନୀ ସଭା କରାଯାଇଥିଲା। ଦଳରେ କନ୍ଦଳ ନୁହେଁ, ଯୋଡ଼ାର ବିକାଶ ପାଇଁ ସମସ୍ତେ ଏକାଠି ବୋଲି ସବୁ ନେତାମାନେ ନିଜର ମତ ବ୍ୟକ୍ତ କରିଥିଲେ। ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ କହିଥିଲେ ଯେ, ସେ ପୌରାଧ୍ୟକ୍ଷ ଥିଲାବେଳେ ଅନେକ ଜନ କଲ୍ୟାଣ କାର୍ଯ୍ୟକୁ ପରବର୍ତ୍ତୀ ସମୟରେ ପୌରଧ୍ୟକ୍ଷ ଥିବା ନେତା ମାନେ ବନ୍ଦ କରି ଦେଇଥଲେ। ଜଗଦୀଶ ସାହୁ ନିର୍ବାଚିତ ହେଲେ ବକେୟା ବିକାଶ କାର୍ଯ୍ୟକୁ ପୁରା କରାଯିବ। ସନାତନ ମହାକୁଡ଼ କହିଥିଲେ ଯେ, ଅତୀତରେ ଯୋଡ଼ା ଅଞ୍ଚଳରେ ବିଭିନ୍ନ ଖଣିରେ ଜନଶୁଣାଣି ହେଉଥିବା ବେଳେ କେତେକ ତଥାକଥିତ ନେତା ଖଣି କମ୍ପାନୀ ସହିତ ସାଲିସ କରି ନିଜର ଫାଇଦା ହାସଲ କରୁଥିଲେ। ଫଳରେ ନିଯୁକ୍ତିରୁ ୧୪ଟି ୱାର୍ଡରେ ଥିବା ଶିକ୍ଷିତ ଯୁବତୀଯୁବକ ବଞ୍ଚିତ ହେଉଛନ୍ତି। ସହରର ଜୀବନ ଜୀବିକା ବିପର୍ଯ୍ୟସ୍ତ ହୋଇପଡିଛି। ଏଥିରେ ନିଶ୍ଚୟ ସୁଧାର ଅଣାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ବିଜେଡି ଦାରା ହିଁ ବିକାଶ ସମ୍ଭବ ବୋଲି କୁଶ ଆପଟ୍ଟ କହିଛନ୍ତି। ଏମ୍‌ପି ମୁର୍ମୁ କହିଥିଲେ ଯେ, ସାରା ଭାରତ ବର୍ଷରେ ବିଜେଡି ଶାସନକୁ ଅନ୍ୟ ରାଜ୍ୟ ମାନେ ଏକ ଆଦର୍ଶ ଭାବେ ଗ୍ରହଣ କରୁଛନ୍ତି। ଏଣୁ ଯୋଡ଼ାର ସାମୁହିକ ବିକାଶ ପାଇଁ ବିଜେଡି ଦଳକୁ ସମସ୍ତ ନେତା ଭୋଟ ଦେବା ପାଇଁ ଆହ୍ବାନ କରିଥିଲେ। ଅଧ୍ୟକ୍ଷ ପ୍ରାର୍ଥୀ ଡ଼ା ସାହୁ କହିଥିଲେ ଯେ, ସରକାରୀ ଡାକ୍ତର ଭାବେ ଦରମା ପାଇଁ ରୋଗୀ ସେବା କରୁଥିଲି। ସେବା ନିବୃତ୍ତ ହେବା ପରେ ନିଃସ୍ବାର୍ଥ ହୋଇ ଜନ ସେବା କରିବି। ଉକ୍ତ ସଭାରେ ପ୍ରାୟ ୧୦ହଜାରରୁ ଉଦ୍ଧର୍‌ବ ଲୋକଙ୍କର ସମାଗମ ହୋଇଥିଲା।