ରାଜନୀତିର ଭାଗ୍ୟରେଖା

ମାୟାଧର ନାୟକ

 

ବହୁ ପ୍ରାର୍ଥୀ, ବହୁ କ୍ଷମତାପ୍ରାର୍ଥୀ, ବହୁ ଲାଳସୀବିଳାସୀବର୍ଗଙ୍କର ବ୍ୟକ୍ତିଗତ ଭାଗ୍ୟରେଖାର ବିରାଟ ମିଶାଣଫଳ ହୋଇଯାଇଛି ଭାରତୀୟ ରାଜନୀତିର ଭାଗ୍ୟରେଖା। ଆମେ ଯେତେବେଳେ ଅସଲ ରାଜନୀତିର ଭାଗ୍ୟରେଖା ଖୋଜୁଛେ ସେତେବେଳେ ମହା ମହା ଜ୍ୟୋତିଷୀମାନେ ବି ବାଟବଣା। ସେମାନେ ଯେତେବେଳେ ଭାରତୀୟ ରାଜନୀତିର ଭାଗ୍ୟରେଖା ଚିହ୍ନଟ କରନ୍ତି ସେତେବେଳେ ସେମାନଙ୍କୁ ଦିଶେ – ପ୍ରତ୍ୟେକ ରାଜନୈତିକ ଦଳର ମୁଣ୍ଡିଆଳମାନଙ୍କ ଭବିଷ୍ୟତ ଆକଳନର ସମ୍ଭାବନା। ତା’ ଅର୍ଥ- ଯଦି ଗୋଟାଏ ସମୟରେ ଆମେ ଶୁଣୁଥିଲୁ ‘ଇନ୍ଦିରା ଇଜ୍‌ ଇଣ୍ଡିଆ’ ଇନ୍ଦିରା ହେଉଛନ୍ତି ଭାରତ। ଏବେ ଶୁଣୁଛୁ ମୋଦି ହେଉଛନ୍ତି ମହାଭାରତ ବିଶ୍ୱଗୁରୁ। ଅବଶ୍ୟ ଚାଇନା ରାଷ୍ଟ୍ରପତି ପୃଥିବୀର ଏକନମ୍ବର ନେତା ବୋଲି ତାଙ୍କ ମନ୍ତ୍ରୀମାନେ କହିଲେଣି। ଉତ୍ତରକୋରିଆର କିମ୍‌ ପ୍ରଚାର କରୁଛନ୍ତି, ସେ ଏ ବିଶ୍ୱର ସର୍ବଶ୍ରେଷ୍ଠ ଯୁବନେତା। ରୁଷିଆର ପୁଟିନ୍‌ ଯୁଦ୍ଧ ଜିତିଲେ ସେ ପୃଥିବୀର ରାଜା ହୋଇଯିବେ। ହିଟଲର ଦିନେ ପୃଥିବୀର ହିରୋ ହେବାକୁ ଚାହିଁଥିଲେ। ଯୁଦ୍ଧରେ ପରାସ୍ତ ହୋଇ ଆତ୍ମହତ୍ୟା କଲେ। ଆଲେକଜାଣ୍ଡାର ବିଶ୍ୱ ଜୟ କରିବାକୁ ଯାଇ ୩୩ବର୍ଷରେ ନିଃସ୍ବ ମଣିଷ ହୋଇ ମରିଗଲେ। ଏଇଭଳି ବହୁ ଇତିହାସ ରହିଛି। ଏ ତ ଶେଷରେ ଚାଲିଛି ଏମିତିଗୁଡିଏ କ୍ଷମତାପ୍ରାର୍ଥୀମାନଙ୍କର ଝିମିଟିଖେଳ। ଆଜି ଭାରତୀୟ ରାଜନୀତି ଭାଗ୍ୟରେଖା କହିଲେ ମନେହୁଏ ଏକ ଅର୍ଦ୍ଧଜ୍ୱଳନ୍ତ ବିଶୁବରେଖାର ଅନ୍ଧକାର ଅଂଶ, ଯେଉଁଠି ଏ ଗ୍ରୀଷ୍ମପ୍ରଧାନ ଦେଶର ଜନଗଣ ଜୁପକାଠର ଛାଗଛାଗୀ।
ଭାରତ ଏକ ବିଚିତ୍ର ଦେଶ। ଏଠି ସବୁଧର୍ମ, ସବୁଜାତି, ଉପଜାତି, ନାନା ଭାଷା, ନାନା ପରିଧାନ ଅଛି। ତଥାପି ଆମେ ଭାରତୀୟ ବୋଲି ଗର୍ବ କରୁ। ଏଠି କେନ୍ଦ୍ରଠୁ ଆରମ୍ଭକରି ରାଜ୍ୟ ପର୍ଯ୍ୟନ୍ତ ଆଇନକାନୁନ ସମ୍ବିଧାନ ଅଛି। ଶାସକମାନଙ୍କ ସୁବିଧା ଅନୁଯାୟୀ ସମ୍ବିଧାନ-ଆଇନକାନୁନ ବଦଳାଯାଏ। ଏବେ ଆମେ ପୃଥିବୀରେ ଜନସଂଖ୍ୟାରେ ଏକନମ୍ବର। ଆମ ଦେଶ ଗଣତାନ୍ତ୍ରିକ। ଏଠି ଗଣମାନଙ୍କ ଭୋଟରେ ସରକାର ନିର୍ବାଚିତ ହୁଅନ୍ତି। ନିର୍ବାଚିତ ସରକାର ପ୍ରଥମେ ସମ୍ବିଧାନ-ଆଇନକାନୁନକୁ ଭାଙ୍ଗନ୍ତି। ମନଇଚ୍ଛା ବହୁମତରେ ଜିତିଥିବାରୁ ସମ୍ବିଧାନ ବଦଳାନ୍ତି। ସମ୍ବିଧାନ ଯେତେ ମୋଟା ହୋଇଚାଲିଛି- ଆମ ଗଣତନ୍ତ୍ର ସେତେ ଛୋଟା ହୋଇଯାଉଛି। ସମ୍ବିଧାନର ମୁଖଶାଳାରେ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର- ପରେ ସମାଜତନ୍ତ୍ର ଯୋଡ଼ାଯାଇଛି। ଆମ ଶାସକମାନେ କେହି ସମ୍ବିଧାନକୁ ମାନୁନାହାନ୍ତି। ଜାତି-ଧର୍ମ ନାଁରେ ଏଠି ରାଜନୀତି ଚାଲେ।
ଏଇ ଲୋକଙ୍କ ଭିତରୁ ତ ଜନପ୍ରତିନିଧି। ସମସ୍ତେ ପ୍ରାୟ ଭାଗ୍ୟରେଖାରେ ବେଶି ବିଶ୍ୱାସ କରନ୍ତି। ସେଥିପାଇଁ ଆମର ମଠ, ମନ୍ଦିର ଯେତେ ଅଛି – ସ୍କୁଲ, କଲେଜ, ଡାକ୍ତରଖାନା ସେତେ ନ ଥିବ। ଏପରିକି ଗଛରେ ସିନ୍ଦୂରମାରି ଲାଲ୍‌କନା ଗୁଡ଼ାଇ ମଧ୍ୟ ଆମେ ପୂଜାକରୁ। କେହିକେହି ସୂର୍ଯ୍ୟ, ତୁଳସୀ ଚଉଁରାକୁ ପୂଜା କରନ୍ତି। ସତ୍ୟ-ତ୍ରେତୟା-ଦ୍ୱାପର ଯୁଗର ଦେବଦେବୀ-ଭଗବାନମାନଙ୍କୁ ମନ୍ଦିର-ଫଟୋରେ ପୂଜାକରୁ। ଏ ଘୋର କଳି ଯୁଗରେ ଲୋକମାନେ ବେଶି ଠାକୁରପୂଜା କରୁଛନ୍ତି। ଏଥିପାଇଁ ଆମ ଶାସକମାନେ ମଠମନ୍ଦିର ପାଇଁ ରାଜକୋଷରୁ ଟଙ୍କା ଖର୍ଚ୍ଚ କରୁଛନ୍ତି। ଗୋଟିଏ ଗୋଟିଏ ଛୋଟ ଗାଁରେ ମଧ୍ୟ ଆଉ କିଛି ନ ଥାଉ ପଛେ ମନ୍ଦିର କିମ୍ବା ଗ୍ରାମଦେବତୀ କିଛି ନ ହେଲେ ବୃକ୍ଷଦେବୀ ନିଶ୍ଚୟ ଥିବେ। ସବୁ ଧର୍ମବିଶ୍ୱାସୀ ଲୋକେ ଏତେ ଠାକୁର ପୂଜାକରି ମଧ୍ୟ ଭାଗ୍ୟରେଖା ପାଇଁ ଜ୍ୟୋତିଷୀ, ବାବା, ସନ୍ନ୍ୟାସୀ, ଗୁଣିଆ, କାଳିଶି ପାଖକୁ ଯାଆନ୍ତି। ସେମାନେ ଜାତକ, ହସ୍ତରେଖା, ପାପୁଲି ଦେଖି ଗଣନାକରି ପ୍ରତିକାର ବ୍ୟବସ୍ଥା କହନ୍ତି। ରାଶିଫଳ କ୍ୟାଲେଣ୍ଡର ପ୍ରାୟ ଘରେ ଘରେ ଥିବ। ଖବରକାଗଜରେ ମଧ୍ୟ ରାଶିଫଳ ପ୍ରତିଦିନ ପ୍ରକାଶ ପାଏ। ବହୁ ଲୋକ ରାଶିଫଳ ଦେଖନ୍ତି। ପୃଥିବୀରେ ଯେତେ ଲୋକ ଅଛନ୍ତି ସେମାନଙ୍କର ବାରୋଟି ରାଶି ମଧ୍ୟରୁ ଗୋଟିଏ ନିଶ୍ଚୟ କାହାର ନା କାହାର ହୋଇଥିବ। ରାଶିମାନଙ୍କରେ କ’ଣ ସବୁ ଭଲମନ୍ଦ ଅଛି ସେଇ ଅନୁସାରେ କାମ କରନ୍ତି। ଗଣନାକାରୀ ରାଶିଫଳ ଦେଖି ଯଦି ଆପଣଙ୍କୁ ଡରାଇଦିଏ, ତା’ହେଲେ ଆପଣ ଛାନିଆ ହୋଇଯାଆନ୍ତି। ପ୍ରତିକାର ଯେତେ ବ୍ୟୟବହୁଳ ହେଲେ ବି କରନ୍ତି। ଆଜିକାଲି ରାଜଧାନୀ ଓ ସହରଗୁଡ଼ିକରେ ଜ୍ୟୋତିଷୀମାନେ ପାଞ୍ଜିଧରି ପସରା ମେଲାଇଛନ୍ତି। ଆପଣମାନେ ଜାତକ, ହାତଦେଖାଇ କିଛି ଉପଦେଶ ପାଇଁ ପକେଟରୁ କିଛି ଟଙ୍କା ଗଣନ୍ତି।
ଥରେ ସୁକିନ୍ଦା ଖଣିଅଞ୍ଚଳରେ ଜଣେ ଠିକାଦାର ଆଦିବାସୀ ଶ୍ରମିକବହୁଳ ଗାଁରେ ଶିବମନ୍ଦିର ତୋଳାଇ ପ୍ରତିଷ୍ଠା କରାଇବା ଦିନ ପୂଜାପାଠ କଲେ, ସମସ୍ତଙ୍କୁ ଭୋଜନ ବ୍ୟବସ୍ଥା କରାଇଥିଲେ। ସେଇ ରାସ୍ତାରେ ଏ ଅଧମ ଗଲାବେଳେ ଦଣ୍ଡେ ଠିଆହୋଇ ନିରୀକ୍ଷଣ କଲି ସେଠି ପୂଜକ ମାଇକରେ ମନ୍ତ୍ର ବୋଲୁଛି, ଠିକାଦାର ପାଳି ଧରୁଛି, ମଝିରେ ମାଇକ ବନ୍ଦକରି କହୁଛି ତା’ କର୍ମଚାରୀକୁ ୧୦ ଟ୍ରିପ ସେଠିକି ପଠାଇଦେବ। ସେ ନେତା ଆସିଲେ ତାକୁ ଯାହା କହିଥିଲ ଦେଇଦେବ। ତା’ପରେ ପୁଣି ମାଇକ ସାଉଣ୍ଡ ଦେଇ ମନ୍ତ୍ର ଉଚ୍ଚାରଣ କରିବାକୁ ଲାଗିଲେ। ଭାବିଲି ଏ ମନ୍ଦିରଫନ୍ଦିର, ପୂଜାପାଠ କିଛି ନୁହେଁ , ବେପାରୀ ଲୋକ ଲାଭର ଲୋଭରେ ପାଗଳ। ଆଦିବାସୀମାନଙ୍କୁ ଭୂତାଇବା ପାଇଁ ଏ କାଣ୍ଡ। ଏ ମାଲିକ ମଧ୍ୟ ଭୋଟ ବେଳେ ତାଙ୍କ ପୋଷାନେତା କେମିତି ଜିତିବେ ସେ ବନ୍ଦୋବସ୍ତ କରନ୍ତି। ଶେଷରେ ଠାକୁରଙ୍କ ରାଣ ପକାଇ ଭୋଟଦେବାକୁ ମତାନ୍ତି।
ସାଧାରଣ ମଣିଷ-କୁଲିମୂଲିଆ ଧର୍ମଭୀରୁ। ଭାଗ୍ୟବାଦୀ। ସେମାନେ ଥରେ ଶପଥ କଲେ ଭାଙ୍ଗନ୍ତି ନାହିଁ। ଦଳ-ନେତାମାନେ ଏତେ ଧର୍ମରାଣ ଦେଇ ମଧ୍ୟ ମନରେ ଦ୍ୱନ୍ଦ୍ୱ ରହିଯାଏ। କାଳେ ଲୋକେ ଭୋଟ ନ ଦେବେ ସେଥିପାଇଁ ସେମାନଙ୍କ ପାଇଁ ରାଜକୋଷରୁ ଟଙ୍କା ବରାଦ କରି ନିଜ ଦଳ ଶାସନ ନାଁରେ ମାହାଳିଆ ସବୁ ବାଣ୍ଟନ୍ତି। ଧର୍ମସଂସ୍କୃତି ଭିତରେ ମାଗଣା ସଂସ୍କୃତି ଓଜନିଆ ପଡ଼ିଯାଏ। ମାଗଣାଖିଆମାନେ ମାତିଯାଆନ୍ତି। ସେଇ ରାଜନୈତିକ ନେତାମାନଙ୍କର ଭାଗ୍ୟରେଖାରେ ସୂର୍ଯ୍ୟୋଦୟ ହୁଏ। କେବେ ଅସ୍ତ ହେବ ତା’ ମା’ ଗଙ୍ଗେଇ ଜାଣନ୍ତି।
ଏତିକିରେ ନେତାମାନେ ଭରସା ପାଆନ୍ତି ନାହିଁ। ଯେଉଁ ଶିଳ୍ପପତିଙ୍କୁ ଦେଶର ଜମି, ଖଣି, ପାଣି, ଜଙ୍ଗଲ, ବନ୍ଦର, ରାସ୍ତାକାମ ଟେକି ଦେଇଥାନ୍ତି ବିକାଶରେ ଯେଉଁ କାର୍ଯ୍ୟ ହେବ ସେମାନଙ୍କ ଦ୍ୱାରା କରାନ୍ତି। ପୁଣି ସେସବୁ କାମରେ ନିଜ ଦଳୀୟ ସମର୍ଥକ ଠିକାଦାର ହୁଅନ୍ତି। ସେଇ ଶିଳ୍ପପତି, ଠିକାଦାରମାନେ ଦେଶର ସାଧାରଣ ଲୋକଙ୍କ ଟିକସରେ ଭର୍ତ୍ତି ରାଜକୋଷରୁ ପ୍ରାୟ ଅଧାଅଧି ମାରିନିଅନ୍ତି। ସେମାନେ ଭୋଟ୍‌ ବେଳେ ଦଳ ଓ ନେତାମାନଙ୍କୁ କୋଟି କୋଟି ଟଙ୍କା ଚାନ୍ଦା ଆକାରରେ ଏବଂ କୋଟି କୋଟି ଟଙ୍କା ଲୁଚାଛପାରେ ଦେଇଥାନ୍ତି। ସେ ଟଙ୍କାରୁ ଏତେ ମାଗଣା ଦେଇ ଭଗବାନ ରାଣ ପକାଇଥିଲେ ମଧ୍ୟ ଭୋଟ୍‌ ପିଛା ଏକହଜାରରୁ ଦଶହଜାର ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ଦିଅନ୍ତି। ଏ ନେତାମାନେ ଲୋକଙ୍କୁ ମାଗଣାଖିଆ ଭିକାରି କରିଦେଇ ଶେଷରେ ଲାଞ୍ଚୁଆ କରିଦେଉଛନ୍ତି। ଏଇତ ଭାରତୀୟ ରାଜନୀତିର ଭାଗ୍ୟରେଖା। ଭୋକିଲା ପଟୁଆର ଏମିତି ଚାଲିଛି ରାସ୍ତାରେ ସେ ରାସ୍ତା କୁଆଡେ ଗୋଟେ ଭଙ୍ଗା ବତିଖୁଣ୍ଟ ପାଖେଥିବା ସେଇ ଦେଶୀ ମଦଭାଟି ଆଡେ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୩୪୧୬୩


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri