ଉଚ୍ଚ ଶିକ୍ଷା ବିଭାଗର ଇ-ମେଧାବୃତ୍ତି ଜାଲିଆତି: ଅବସରପ୍ରାପ୍ତ ଅନୁସଚିବ ପ୍ରକାଶ ଚନ୍ଦ୍ର ରଥ ଗିରଫ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ଉଚ୍ଚ ଶିକ୍ଷା ବିଭାଗର ଇ-ମେଧାବୃତ୍ତିରେ ବି ଦୁର୍ନୀତି। ଜାଲିଆତି କରାଯାଇ ଅଯୋଗ୍ୟ ଛାତ୍ରୀଛାତ୍ରଙ୍କୁ ଦିଆଯାଇଛି ମେଧାବୃତ୍ତି। ଏହି ଘଟଣାରେ ସମ୍ପୃକ୍ତ ଅବସରପ୍ରାପ୍ତ ଅନୁସଚିବ ପ୍ରକାଶ ଚନ୍ଦ୍ର ରଥଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ବାଲିଅନ୍ତାରୁ ଗିରଫ କରିଛି। ତାଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏଥିସହ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହାର ଖୋଳତାଡ଼ କରୁଛି ଇଓଡବ୍ଲ୍ୟୁ।
ସୂଚନା ଅନୁଯାୟୀ, ଉଚ୍ଚ ଶିକ୍ଷା ଅଧୀନରେ ବିଭିନ୍ନ କଲେଜରେ ପଢୁଥିବା ମେଧାବୀ ଛାତ୍ରୀଛାତ୍ରୀଙ୍କୁ ପ୍ରତିବର୍ଷ ଇ-ମେଧାବୃତ୍ତି (ଇ-ସ୍କଲାରଶିପ୍‌) ଜରିଆରେ ଆର୍ଥିକ ସହାୟତା ପ୍ରଦାନ କରାଯାଏ। ଛାତ୍ରୀଛାତ୍ରମାନେ ଅନ୍‌ଲାଇନ୍‌ରେ ଆବେଦନ କରିବା ପରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଆବେଦନକାରୀଙ୍କ ପତ୍ରକୁ ସରକାରଙ୍କୁ ପଠାଇଥାଏ। ପରେ ଆର୍ଥିକ ବର୍ଷରେ ମଞ୍ଜୁର ହୋଇଥିବା ଅର୍ଥରାଶିକୁ ଉଚ୍ଚ ଶିକ୍ଷା ବିଭାଗ ଯୋଗ୍ୟ ଛାତ୍ରୀଛାତ୍ରଙ୍କୁ ପ୍ରଦାନ କରିଥାଏ। ତେବେ ୨୦୧୪-୧୫ ଶିକ୍ଷା ବର୍ଷରେ ଏହି ମେଧାବୃତ୍ତି ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିଲା। ସେହି ସମୟରେ ଉଚ୍ଚ ଶିକ୍ଷା ବିଭାଗର ସ୍କଲାରସିପ୍‌ ସେକ୍ସନର ତତ୍‌କାଳୀନ ଇନ୍‌ଚାର୍ଜ ଥିଲେ ପ୍ରକାଶ। ସେ କଲେଜ କର୍ତ୍ତୃପକ୍ଷଙ୍କୁ ନ ଜଣାଇ ଯୋଗ୍ୟ ନ ଥିବା ୨୫୩ଜଣ ଛାତ୍ରୀଛାତ୍ରଙ୍କୁ ୩୬.୧୦ ଲକ୍ଷ ଟଙ୍କାର ମେଧାବୃତ୍ତି ପ୍ରଦାନ କରିଥିଲେ। ଏହା ଜଣାପଡିବା ପରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୨୦୧୭ରେ ଇଓଡବ୍ଲ୍ୟରେ ଅଭିଯୋଗ କରିଥିଲେ। ଇଓଡବ୍ଲ୍ୟୁ ଆଇପିସିର ଦଫା ୪୦୯/୪୦୬/୧୨୦-ବିରେ ମାମଲା (ନଂ-୨୦/୨୦୧୭) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।