ଭଙ୍ଗାଗଲା ଏମାର ମଠର ଅବଶିଷ୍ଟ ପୁରୁଣା-ଦୁର୍ବଳ କୋଠା

ପୁରୀ ଅଫିସ, ୨୫ା୨: ଏମାର ମଠର ଉଚ୍ଛେଦ ପୁଣି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ଶୁକ୍ରବାର ପୁରୀ ଜିଲା ପ୍ରଶାସନ ପକ୍ଷରୁ ମଠର ଅବଶିଷ୍ଟ ପୁରୁଣା ଓ ଦୁର୍ବଳ କୋଠାଗୁଡ଼ିକୁ ଭଙ୍ଗାଯାଇଛି। ଦୁଇଜଣ ମାଜିଷ୍ଟ୍ରେଟ ଏବଂ ୧ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ଦୁଇଟି ବୁଲଡୋଜର ସହାୟତାରେ ଏହି ଉଚ୍ଛେଦ କରାଯାଇଥିଲା। ଯେପରି ଭକ୍ତଙ୍କର କୌଣସି ପ୍ରକାର ଅସୁବିଧା ନ ହେବ ସେଥିଲାଗି ପ୍ରଶାସନ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରଥିଲା। କାୈଣସି ଅଘଟଣକୁ ଏଡ଼ାଇବା ପାଇଁ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ। ମଠର ଆସ୍ଥାନ ଓ ଗାଦିକୁ ଛାଡ଼ି ସମସ୍ତ ଅସୁରକ୍ଷିତ ତଥା ବିପଦସଙ୍କୁଳ କୋଠାଗୁଡ଼ିକୁ ଉଚ୍ଛେଦ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।