ଗଣତନ୍ତ୍ରର ରକ୍ଷାକବଚ

ରବିନାରାୟଣ ସାମଲ

 

ଗଣତନ୍ତ୍ରର ଚାରିଟି ସ୍ତମ୍ଭ ନ୍ୟାୟପାଳିକା, କାର୍ଯ୍ୟପାଳିକା, ବ୍ୟବସ୍ଥାପକ ଓ ଗଣମାଧ୍ୟମ ଯେତେବେଳେ ଅଳ୍ପ ବହୁତେ ଆକ୍ରାନ୍ତ ହୁଅନ୍ତି ସେତେବେଳେ ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟ ଘଟେ। ରାଷ୍ଟ୍ର ଅରାଜକତା ଆଡ଼କୁ ଗତି କରେ। ବ୍ୟକ୍ତିର ଗଣତାନ୍ତ୍ରିକ ଅଧିକାର କ୍ଷୁଣ୍ଣ ହୁଏ। ଦେଶରେ ଆଇନ୍‌ର ଶାସନ ରହେ ନାହିଁ। ଏହି ପରିସ୍ଥିତିକୁ ନିରଙ୍କୁଶତା ବୋଲି କୁହାଯାଏ।
ସ୍ବିଡେନ୍‌ସ୍ଥିତ ଗବେଷଣା ସଂସ୍ଥା ଭି-ଡେମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ନିକଟରେ ବିଶ୍ୱର ୧୭୯ଟି ରାଷ୍ଟ୍ରକୁ ନେଇ ଏକ ସର୍ଭେ କରିଛି। ରାଷ୍ଟ୍ରଗୁଡ଼ିକରେ ଗଣତନ୍ତ୍ର କିଭଳି ଅବସ୍ଥାରେ ଅଛି ତାହାର ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟ ଅନୁଯାୟୀ ପ୍ରଥମ ସ୍ଥାନରେ ଡେନ୍‌ମାର୍କ, ୭୦ତମ ସ୍ଥାନରେ ଶ୍ରୀଲଙ୍କା, ୭୨ତମ ସ୍ଥାନରେ ନେପାଳ, ୯୦ତମ ସ୍ଥାନରେ ଭାରତ, ୧୨୬ତମ ସ୍ଥାନରେ ପାକିସ୍ତାନ ଓ ୧୫୪ତମ ସ୍ଥାନରେ ବାଂଲାଦେଶ ରହିଛି। ଶ୍ରୀଲଙ୍କା ଓ ନେପାଳର ଅବସ୍ଥା ଭାରତଠାରୁ ଭଲରେ ଅଛି। ଗତ ୧୦ ବର୍ଷ ମଧ୍ୟରେ ହଙ୍ଗେରୀ, ତୁର୍କୀ, ପୋଲାଣ୍ଡ, ସର୍ବିୟା, ବ୍ରାଜିଲ୍‌ ଓ ଭାରତ ସମେତ ୧୦ଟି ଦେଶ ସର୍ବାଧିକ ନିରଙ୍କୁଶତା ଆଡ଼କୁ ଢଳିଥିବା ବେଳେ ୩୧ଟି ରାଷ୍ଟ୍ରର ଅଭିବ୍ୟକ୍ତି ଓ ଗଣମାଧ୍ୟମର ସ୍ବାଧୀନତା ଉପରେ ଆକ୍ରମଣ ବୃଦ୍ଧି ପାଇଛି। ଶାନ୍ତିପୂର୍ଣ୍ଣ ସମାବେଶ ଓ ବିକ୍ଷୋଭ ପ୍ରତିବାଦର ଅଧିକାର ଶତକଡ଼ା ୧୪ ଭାଗ ସଙ୍କୁଚିତ ହୋଇଯାଇଛି। ସର୍ବୋପରି ଆମେରିକାର ଉଦାର ଗଣତନ୍ତ୍ର ପଥଭ୍ରଷ୍ଟ ହୋଇଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି।
ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରର ଦୁଇଟି ମାମଲାର ବିଚାର କରି ନାଗରିକର ସ୍ବାଧୀନ ମତବ୍ୟକ୍ତ କରିବାର ଅଧିକାର ଓ ପ୍ରେସ୍‌ ସ୍ବାଧୀନତା ଉପରେ ଆକ୍ରମଣ କରାଯାଉଛି ବୋଲି ସୁପ୍ରିମ୍‌ କୋର୍ଟ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି। ଭି-ଡେମ୍‌ର ରିପୋର୍ଟ ସାଙ୍ଗକୁ ସୁପ୍ରିମ୍‌ କୋର୍ଟଙ୍କ ଏହି ମନ୍ତବ୍ୟ ଦେଶର ନିରଙ୍କୁଶତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଡିମନିଟାଇଜେଶନ୍‌, ଜିଏସ୍‌ଟି ଓ ଲକ୍‌ଡାଉନ୍‌ ପରି ସରକାରଙ୍କର କେତୋଟି ନିଷ୍ପତ୍ତି ଦେଶ ପାଇଁ ଅଭୂତପୂର୍ବ ଏବଂ ଅପ୍ରତ୍ୟାଶିତ କହିଲେ ଅତ୍ୟୁକ୍ତି ହେବ ନାହିଁ। ଭାରତ ପରି ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ନାଗରିକଙ୍କ ଉପରେ ଏଗୁଡ଼ିକ ଲଦି ଦେଲା ଭଳି ଘଟଣା ଘଟିଲା ଏବଂ ସାଧାରଣ ଜନତା ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗ କଲେ। ଏସବୁ ସତ୍ତ୍ୱେ ନିକଟରେ ସମାପ୍ତ ହୋଇଥିବା ବିହାର ବିଧାନସଭା ନିର୍ବାଚନ ଓ ବିଭିନ୍ନ ରାଜ୍ୟର ଉପନିର୍ବାଚନରେ ଏନ୍‌ଡିଏ ଆଶାତୀତ ସଫଳତା ଲାଭ କଲା। ପ୍ରଧାନମନ୍ତ୍ରୀଙ୍କ ଭାଷାରେ ଏହା କୁଆଡ଼େ ‘ସାଇଲେଣ୍ଟ୍‌ ଭୋଟର୍‌’ ଙ୍କ କରିସ୍ମା ଥିଲା।
ବିହାର ନିର୍ବାଚନ ଯଦିଓ ଗଣତାନ୍ତ୍ରିକ ପଦ୍ଧତିରେ ସମାପନ ହୋଇଛି ବାସ୍ତବରେ ସେଠାରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି। ଜାତି, ଧର୍ମ ଓ ଅର୍ଥକୁ ଆୟୁଧ କରି ଅଧିକାଂଶ ରାଜନୈତିକ ଦଳ ନିର୍ବାଚନ ଲଢ଼ିଛନ୍ତି। ଏହା କ’ଣ ଗଣତାନ୍ତ୍ରିକ ମୂଲ୍ୟବୋଧର ପରିପନ୍ଥୀ ନୁହେଁ? ପ୍ରଧାନମନ୍ତ୍ରୀଙ୍କ ‘ସାଇଲେଣ୍ଟ ଭୋଟର’କୁ ଯଦି ବ୍ୟବଚ୍ଛେଦ କରାଯାଏ ତେବେ ଆମେ କେବଳ ‘ଇନୋସେଣ୍ଟ ଭୋଟର’ଙ୍କୁ ପାଇବା। ସେହି ଇନୋସେଣ୍ଟ୍‌ ଭୋଟରଙ୍କ ଅସଚେତନତା ଯୋଗୁ ହୁଏତ ଏନ୍‌ଡିଏ ମେଣ୍ଟ ଲାଭବାନ ହୋଇଥାଇ ପାରେ। କିନ୍ତୁ ଏହା ସୁନିଶ୍ଚିତ ନୁହେଁ। ଆମ ଦେଶର ନିର୍ବାଚନ ତ ସଂଖ୍ୟାଧିକ ଅସଚେତନ ନାଗରିକଙ୍କ ମତଦାନରେ ସମାପନ ହୁଏ। ଏହା ଅବଶ୍ୟ ଖୁବ୍‌ କମ୍‌ ବ୍ୟକ୍ତି ମୁକ୍ତ କଣ୍ଠରେ ସ୍ବୀକାର କରିବେ। କାରଣ ପ୍ରାର୍ଥୀ କିମ୍ବା ସମ୍ପୃକ୍ତ ଦଳ ସମ୍ପର୍କରେ ସାଧାରଣ ଭୋଟରଟିଏ ଅବଗତ ନ ଥାଇ ମଧ୍ୟ ମତଦାନ ସାବ୍ୟସ୍ତ କରିବା ଭଳି ଅଭ୍ୟାସ ଆମର ଚିରାଚରିତ। ଏହି ମତଦାନକୁ ଅବାଧ ଓ ନିରପେକ୍ଷ କହିବା ଅପେକ୍ଷା ପ୍ରଲୋଭିତ ଆଉ ପ୍ରରୋଚିତ କହିବା ଅଧିକ ପ୍ରଯୁଜ୍ୟ ହେବ।
ଆମ ମତଦାତାଙ୍କ ମଧ୍ୟରୁ ରାଜନୈତିକ ଭାବେ ସଚେତନ ବ୍ୟକ୍ତିଙ୍କ ସଂଖ୍ୟା ଖୁବ୍‌ ନଗଣ୍ୟ। କିଛି ବର୍ଷ ତଳେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଶହେରେ ମାତ୍ର ପାଞ୍ଚ ଜଣ ମତଦାତା ରାଜନୀତି ସମ୍ପର୍କରେ କିଛି ମାତ୍ରାରେ ସଚେତନ। ଓଡ଼ିଶା ଇଲେକ୍‌ଶନ ୱାଚ୍‌ ତରଫରୁ ଭୁବନେଶ୍ୱର ବାସିନ୍ଦାଙ୍କୁ ନେଇ ଗୋଟିଏ ସର୍ଭେ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଶତକଡ଼ା ୯୦ ଭାଗ ବାସିନ୍ଦା ସାମାଜିକ ଓ ରାଜନୈତିକ ବିଷୟରେ ସାମାନ୍ୟତମ ଜ୍ଞାନର ଅଧିକାରୀ ବୋଲି ଜଣାପଡ଼ିଥିଲା। ଶତକଡ଼ା ୫୮ ବାସିନ୍ଦା ସେମାନଙ୍କ ଏମ୍‌ପି ଓ ୭୩ ଜଣ ବାସିନ୍ଦା ସେମାନଙ୍କ ଏମ୍‌ଏଲ୍‌ଏଙ୍କୁ ଜାଣି ନ ଥିବା କଥା ପ୍ରକାଶ କରିଥିଲେ। ମାତ୍ର ସେମାନେ ନିୟମିତ ଭାବେ ନିଜ ମତାଧିକାର ସାବ୍ୟସ୍ତ କରି ଆସୁଥିଲେ। ଗ୍ରାମାଞ୍ଚଳ କଥା ନ କହିଲେ ଭଲ। ବିଭିନ୍ନ ରାଜନୈତିକ ଦଳର ସ୍ଥାନୀୟ କର୍ମୀ ଓ ନେତା ଭୋଟରଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରି ନିଜ ସପକ୍ଷରେ ନେବାରେ ବେଶ୍‌ ଧୁରନ୍ଧର। ଭୋଟ ଏଠି କିଣାଯାଏ। ଜଣଙ୍କ ଭୋଟ ଅନ୍ୟ ଜଣେ ବି ଦିଏ। ରାତାରାତି ସାହି ବସ୍ତିର ଚିତ୍ର ବଦଳିଯାଏ। ଏହାକୁ କ’ଣ କିଏ ଅସ୍ବୀକାର କରିବେ? ବିଶେଷ କରି ପରିବାରର ମୁଖିଆଙ୍କ ନିଷ୍ପତ୍ତି ଅନ୍ୟମାନଙ୍କ ସକାଶେ ବେଦରେ ଗାର ହୋଇଯାଏ। ଅଧିକାଂଶ ମହିଳା ଭୋଟରମାନେ ନିଷ୍ପତ୍ତିକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ଦେଖାଯାଏ। ପ୍ରଧାନମନ୍ତ୍ରୀଙ୍କ ସେହି ‘ସାଇଲେଣ୍ଟ ଭୋଟର’ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତି ବୋଲି କୁହାଯିବା ସତ୍ୟର ଅପଳାପ ମାତ୍ର।
ଆମ ଦେଶର ସାତ ଦଶନ୍ଧିର ଗଣତନ୍ତ୍ର ଏଯାବତ୍‌ ବାଳୁତ ହୋଇ ରହିଛି। ମତଦାତାମାନେ ନିର୍ବାଚନ ବେଳେ ସେମାନଙ୍କ ବିଜ୍ଞତାର ପରିପ୍ରକାଶ କରୁ ନାହାନ୍ତି। ଫଳରେ ଅବାଞ୍ଛିତ ବ୍ୟକ୍ତି ନିର୍ବାଚିତ ହୋଇଯାଉଛନ୍ତି। କେହି ବି ଜଣେ ସାଧାରଣ ଭୋଟର ଚାହେଁ ନାହିଁ ଜଣେ ଅପରାଧୀ ନିର୍ବାଚିତ ହେଉ। କିନ୍ତୁ ତାହା ହେଉଛି। କେହି ବି ଜଣେ ସାଧାରଣ ଭୋଟର ଚାହେଁ ନାହିଁ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଜଣେ ଆମ ପ୍ରତିନିଧି ହୁଅନ୍ତୁ। କିନ୍ତୁ ତାହା ହେଉଛି। ଏସବୁ ମୂଳରେ ତ କିଛି ଯାଦୁ ନାହିଁ, ଅଛି କେବଳ ମତଦାତାଙ୍କ ଭୋଟ। ମତଦାତାମାନେ ଜାଣିଶୁଣି ଏହି ଭୁଲ୍‌ କରୁଛନ୍ତି ବୋଲି କହିଲେ ଠିକ୍‌ ହେବ ନାହିଁ, ସେମାନଙ୍କ ଅବଚେତନରେ ଏହି ଭୁଲ୍‌ ହେଉଛି। ରାଜନୈତିକ ଭାବେ ଶିକ୍ଷିତ ହୋଇ ନ ଥିବାରୁ ମତଦାତାମାନେ ଏହି ଭୁଲ୍‌ କରୁଛନ୍ତି। ଏଥିପାଇଁ ବ୍ୟକ୍ତି ନୁହେଁ ବରଂ ବ୍ୟବସ୍ଥାକୁ ଦାୟୀ କରିବା ଯଥାର୍ଥ ହେବ।
ମତଦାତାମାନେ ଯେଉଁଠି ସଚେତନ, ସେଠି ଗଣତନ୍ତ୍ର ସୁରକ୍ଷିତ। ସୁତରାଂ ଆମ ଦେଶରେ ଗଣତନ୍ତ୍ର ବିପନ୍ନ ହେବା ମୂଳରେ ଅସଚେତନ ମତଦାତାମାନଙ୍କ ଭୂମିକା ଯଥେଷ୍ଟ। ଜଣେ ମତଦାତା ଶିକ୍ଷିତ ହେଲେ ସେ ସଚେତନ ହେବେ ସେଥିରେ କିଛି ଗ୍ୟାରେଣ୍ଟି ନାହିଁ। ରାଜନୈତିକ ଭାବେ ଶିକ୍ଷିତ ହେଲେ ସେ ରାଜନୈତିକ ଭାବେ ସଚେତନ ହେବେ ବୋଲି ଆଶା କରାଯାଇପାରିବ। ଆଉ ଏହି ସଚେତନ ନାଗରିକମାନେ ହିଁ ଦେଶରେ ଗଣତନ୍ତ୍ରକୁ ସୁରକ୍ଷିତ ରଖିପାରିବେ। ସେମାନେ ଗଣତନ୍ତ୍ରର ସୁରକ୍ଷା କବଚ ସାଜି ପାରିବେ। ଗଣତନ୍ତ୍ରର ଚାରିଟି ସ୍ତମ୍ଭକୁ ଦୃଢ଼ଭାବେ ଧରି ରଖିପାରିବେ।
ମୋ-୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri