ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହେବ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କ ୪ ଦିନିଆ ରିମାଣ୍ଡ ଅବଧି ଗୁରୁବାର ସରିଛି। ଇନ୍‌ଫୋସିଟି ଥାନା ପୋଲିସ ସେମାନଙ୍କୁ ଏସ୍‌ଡିଜିଏମ୍‌ କୋର୍ଟରେ ହାଜର କରିଥିଲା। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସମସ୍ତଙ୍କୁ ପୁଣିଥରେ ଝାରପଡା ଜେଲକୁ ପଠାଇ ଦିଆଯାଇଛି। ତେବେ ସୋମବାରଠାରୁ ପୋଲିସ ଅଭିଯୁକ୍ତଙ୍କୁ ମାରାଥନ ଜେରା କରିଥିଲେ ମଧ୍ୟ ହତ୍ୟା ଅନ୍ତରାଳେ ସେଭଳି କିଛି ବଡ଼ ତଥ୍ୟ ପାଇ ନ ଥିବା ଜଣାପଡ଼ଛି। ଏନେଇ ଡିସିପି ଉମାଶଙ୍କର ଦାଶଙ୍କ କହିବା କଥା, ଅଭିଯୁକ୍ତଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ହତ୍ୟାକାଣ୍ଡକୁ ନେଇ ଲୁଚି ରହିଥିବା ଅନେକ ତଥ୍ୟ ପାଇବା ପୋଲିସ ପାଇଁ କଷ୍ଟସାଧ୍ୟ ହୋଇଛି। ତେଣୁ ସତ ଜାଣିବା ପାଇଁ ଖୁବ୍‌ଶ୍ରୀଘ୍ର ୩ ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ୍‌ ଟେଷ୍ଟ କରାଯିବ ବୋଲି ସେ କହିଛନ୍ତି।
କମିଶନରେଟ ପୋଲିସ ୩ ଅଭିଯୁକ୍ତ ନୟାପଲ୍ଲୀ ଥାନା ଅଞ୍ଚଳରେ ରହୁଥିବା କେନ୍ଦ୍ରାପଡ଼ା ରାଜନଗରର ଅମ୍ରିତ ପ୍ରୀତମ ବିଶ୍ୱାଳ, କନ୍ଧମାଳ ଜିଲା ଫୁଲବାଣୀ ଟାଉନ ଥାନା ଅମଲାପଡ଼ାର ଦୀନେଶ କୁମାର ମହାପାତ୍ର ଓରଫ ଲିଟୁ ଓ ପିଅନପଡ଼ାର ମୃତ୍ୟୁଞ୍ଜୟ ମିଶ୍ର ଓରଫ ମୁନାଙ୍କୁ ଘନ ଘନ ଜେରା କରିଥିଲା। ଘଟଣା ଦିନ ସମସ୍ତେ ନିଶାରେ ଥିବାରୁ କେହି ହତ୍ୟା ସମ୍ପର୍କରେ ଅଧିକ କିଛି କହିପାରି ନ ଥିଲେ। ତେଣୁ ଏହା କୁହାଯାଇ ପାରେ ଯେ, ରିମାଣ୍ଡରେ ଆଣି ଅଧିକ ତଥ୍ୟ ପାଇବା ଯୋଜନା ପୋଲିସ ପାଇଁ ବିଫଳ ହୋଇଛି।
ହତ୍ୟାର ସବୁଠୁ ବଡ଼ ପ୍ରମାଣ ଥିଲା ମୋବାଇଲ ଫୋନ୍‌। ଆଶା ଥିଲା ପୋଲିସ ଅଭିଯୁକ୍ତଙ୍କୁ ଜେରା କରି ମନୀଷଙ୍କ ମୋବାଇଲକୁ ଖୋଜି ଠାବ କରିବ। ହେଲେ ଏଥିରେ ପୋଲିସ ସଫଳ ହୋଇପାରିନି। ଏପରିକି ମନୀଷଙ୍କୁ କିଏ ପ୍ରଥମେ ଆକ୍ରମଣ କଲେ, କାହା ମାଡ଼ରେ ପ୍ରାଣ ଗଲା, ପୋଖରୀ ପାଖକୁ କେମିତି ନେଲେ, ଠେଲାପେଲାର ଘଟଣାସ୍ଥଳ କେଉଁଠି, ଏଭଳି ପ୍ରଶ୍ନର ଉତ୍ତର ପୋଲିସ ପାଇ ନ ଥିବା ଜଣାପଡିଛି। କେବଳ ହୋଟେଲ କର୍ମଚାରୀଙ୍କ ବୟାନକୁ ପୋଲିସ ରେକର୍ଡ କରିଛି। ଅଭିଯୁକ୍ତମାନେ କିଛି ସ୍ପଷ୍ଟ କହିପାରୁ ନ ଥିବାରୁ ସିନ୍‌ ରିକ୍ରିଏଶନ ମଧ୍ୟ କରାଯାଇନାହିଁ। ତେଣୁ ବଳିଷ୍ଠ ଚାର୍ଜଶିଟ୍‌ କିପରି ପୋଲିସ ପ୍ରସ୍ତୁତ କରିବ ତାହାକୁ ନେଇ ପ୍ରଶ୍ନ ଉଠୁଛି।
ପୋଲିସ ସୂଚନାନୁସାରେ, ଗତ ୯ ତାରିଖ ୫ଟାରେ ମନୀଷଙ୍କୁ ଅଭିଯୁକ୍ତ ଅମ୍ରିତ ଫୋନ କରି ଡାକିବା ସହ ୨ସାଙ୍ଗ ମୃତ୍ୟୁଞ୍ଜୟ ଓ ଦୀନେଶଙ୍କ ସହ ଏକ ବ୍ୟାଚଲର ପାର୍ଟିରେ ଯିବାକୁ କହି କାରରେ ଆଣିଥିଲେ। ବିଳମ୍ବିତ ରାତିରେ ପାତ୍ରପଡ଼ାସ୍ଥିତ ସାଉଥ ସିଟି ହୋଟେଲ ଆଣ୍ଡ ବାର୍‌କୁ ଯାଇଥିଲେ। ସେଠାରେ ବିଲ୍‌ ଦେବାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ମନୀଷ ମା’ଙ୍କୁ ଫୋନ୍‌ କରି ଅନ୍‌ଲାଇନରେ ୮ହଜାର ଟଙ୍କା ମଗାଇ ବିଲ୍‌ ଦେଇଥିଲେ। ରାତି ୩ଟା ୨୯ରେ ମନୀଷ ଏକୁଟିଆ ହୋଟେଲ ବାହାରକୁ ଯିବା ପରେ ଅଭିଯୁକ୍ତମାନେ ପିଛା କରି ତାଙ୍କୁ ହତ୍ୟା କରିବା ପରେ ପାତ୍ରପଡ଼ା ପୋଖରୀରେ ଫିଙ୍ଗିଦେଇଥିଲେ।