ଆମେରିକାର ପରାଜୟ, ପାକିସ୍ତାନର ବିଜୟ

ଆମେରିକା ଓ ନାଟୋ ସୈନ୍ୟ ଆଫଗାନିସ୍ତାନରୁ ଅପସରି ଯିବା ପରେ ସେଠାରେ ନିର୍ଦ୍ୱନ୍ଦ୍ୱରେ ସରକାର ଗଠନ କରିବ ବୋଲି ତାଲିବାନ୍‌ ଧରିନେଇଥିଲା। ସମଗ୍ର ପୃଥିବୀ ମଧ୍ୟ ଭାବିଥିଲା ଯେ, ତାଲିବାନ୍‌ର ଶାସନ ଏକତରଫା ହୋଇଚାଲିବ। କିନ୍ତୁ ଏବେ ଭିନ୍ନ ଚିତ୍ର ପଦାକୁ ଆସିଲାଣି। ୪ ସେପ୍ଟେମ୍ବରରେ ତାଲିବାନ୍‌ ସହପ୍ରତିଷ୍ଠାତା ତଥା ପଲିଟିକାଲ ଅଫିସ୍‌ ମୁଖ୍ୟ ମୁଲ୍ଲା ଅବଦୁଲ୍‌ ଗନି ବରାଦର ରାଷ୍ଟ୍ରପତି ହେବେ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। କିନ୍ତୁ ସରକାର ଗଠନ କେବେ ହେବ ତାହା ଅନିଶ୍ଚିତତା ମଧ୍ୟରେ ରହିଯାଇଛି। କାରଣ ଇତିମଧ୍ୟରେ ପାକିସ୍ତାନ ସମର୍ଥିତ ହକ୍କାନି ନେଟ୍‌ଓ୍ବର୍କ ଭାବୀ ରାଷ୍ଟ୍ରପତି ବରାଦରଙ୍କୁ ଗୁଳି କରିଥିବା ପଞ୍ଜଶିର୍‌ ଅବ୍‌ଜର୍ଭର ଓ୍ବେବସାଇଟ୍‌ରେ ରିପୋର୍ଟ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ(ଆଇଏସ୍‌ଆଇ) ଛତ୍ରଛାୟା ତଳେ ପରିଚାଳିତ ହକ୍କାନି ବରାଦରଙ୍କ କ୍ଷମତା ଆରୋହଣକୁ ବିରୋଧ କରିଛି। ହକ୍କାନିର ଇଚ୍ଛା ଆଫଗାନିସ୍ତାନର ଶାସନ କ୍ଷେତ୍ରରେ ତାକୁ ବଡ଼ ଅଂଶ ମିଳୁ। ଓଡ଼ିଆରେ ଢଗ ଅଛି-‘ଘରେ ନ ପଶୁଣୁ ଚାଳ ବାଜିବା।’ ଆଫଗାନିସ୍ତାନରେ କେଉଁ ପ୍ରକାରର ସରକାର ଗଠନ ହେବ ତାହା ସ୍ଥିର ହେବା ପୂର୍ବରୁ ସର୍ବୋଚ୍ଚ ନେତାମାନଙ୍କ ମଧ୍ୟରେ ଗୁଳି ଫୁଟିଲାଣି।
ଇତିହାସକୁ ଦେଖିଲେ ବିଭିନ୍ନ ସମୟରେ ସମଗ୍ର ପୃଥିବୀରେ ସବୁଠାରୁ ବଡ଼ ସାମରିକ ଶକ୍ତି ଭାବେ ପରିଚିତ ହେଉଥିବା ଦେଶ ଆଫଗାନିସ୍ତାନ ମାଟିରେ ଘୋର ପରାଜୟ ଚାଖିଛି। ଊନବିଂଶ ଶତାବ୍ଦୀରେ ବିଶ୍ୱ ଶକ୍ତି ଭାବେ ପରିଚିତ ବ୍ରିଟେନ ସେଠାରେ ଯୁଦ୍ଧ ଲଢ଼ି ପରାଜିତ ହୋଇଥିଲା। ବିଂଶ ଶତାବ୍ଦୀରେ କମ୍ୟୁନିଷ୍ଟ ସୋଭିଏଟ୍‌ ରୁଷିଆ ଦୀର୍ଘବର୍ଷ ଆଫଗାନିସ୍ତାନରେ ଯୁଦ୍ଧ କରି ହାରିଯାଇଥିଲା। ଏକବିଂଶ ଶତାବ୍ଦୀର ଆରମ୍ଭରୁ ଅର୍ଥାତ୍‌ ୨୦୦୧ ମସିହାରୁ ଆଫଗାନିସ୍ତାନରେ ଆମେରିକା ଓ ନାଟୋର ସିଧାସଳଖ ସାମରିକ ହସ୍ତକ୍ଷେପ ଏବଂ ଦୀର୍ଘ ଦୁଇ ଦଶନ୍ଧି ଧରି ଯୁଦ୍ଧ ଲଢ଼ିବା ସତ୍ତ୍ୱେ ମିିଳିତ ପାଶ୍ଚାତ୍ୟ ଦେଶଗୁଡ଼ିକର ସେନା ପୁନର୍ବାର ୨୦୨୧ ଅଗଷ୍ଟ ୧୫ ତାରିଖରେ ଜୀବନବିକଳରେ ଆଫଗାନିସ୍ତାନ ଛାଡ଼ି ପଳାଇଲା। ଏହାପରେ ତାଲିବାନ୍‌ ଦ୍ୱିତୀୟ ଥର ଆଫଗାନିସ୍ତାନ ଦଖଲ କରି କ୍ଷମତା ଜାବୁଡ଼ି ଧରିବାକୁ ଅଣ୍ଟା ଭିଡ଼ିଛି। ନିଜ ଦେଶର ନାଗରିକ ଓ ଅନ୍ତର୍ଜାତୀୟ ସମୁଦାୟ ଆଗରେ ଭାବମୂର୍ତ୍ତି ନିର୍ମଳ ରଖିବାକୁ ଚାହିଁ କେତେକ ଉଦାରବାଦୀ ପଦକ୍ଷେପ ନେବ ବୋଲି ଘୋଷଣା କରିଥିଲା। ମହିଳାମାନଙ୍କ ପ୍ରତି ତାଲିବାନ୍‌ର ସମ୍ମାନ ରହିଛି ବୋଲି ମଧ୍ୟ କହିଥିଲା। କିନ୍ତୁ ଆଫଗାନିସ୍ତାନ ଦଖଲ କରୁ କରୁ ମହିଳାଙ୍କ ଉପରେ ଯେଭଳି ଅକଥନୀୟ ଅତ୍ୟାଚାର କରୁଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଦୃଶ୍ୟମାନ ହେଉଛି ସେଥିରୁ ତାଲିବାନ୍‌ର କଥା ଓ କାର୍ଯ୍ୟ ମଧ୍ୟରେ ଫରକ୍‌ ରହିଥିବା ବାରିହୋଇ ପଡ଼ୁଛି । ଏକ ନିର୍ବାଚିତ ସରକାରକୁ ଗାଦିଚ୍ୟୁତ କରି ଯେତେବେଳେ ଏକ ଉଗ୍ରପନ୍ଥୀ ଗୋଷ୍ଠୀ ଦେଶକୁ କବଳିତ କରୁଛି, ତା’ଠାରୁ ସୁଶାସନ ସହଜରେ ମିଳିବ ବୋଲି ଆଶା କରିବା ବୃଥା। କାରଣ ମୌଳବାଦୀ ଚିନ୍ତାଧାରା ପୋଷଣ କରୁଥିବା ଦଳ ବା ବ୍ୟକ୍ତି କଦାପି ନାଗରିକଙ୍କୁ ସୁଶାସନ ଦେଇପାରି ନ ଥାଏ। ଆଉ ଏକ ବିଷୟ ଯାହା ଆଫଗାନିସ୍ତାନ ଭଳି ଏକ ସୁନ୍ଦର ଦେଶକୁ ନଷ୍ଟ କରିବାକୁ ଯାଉଛି ତାହା ହେଲା ଆତଙ୍କବାଦୀ ଓ ଉଗ୍ରବାଦୀଙ୍କ ମେଳି। ଜନସାଧାରଣଙ୍କୁ ଡରେଇ, ରକ୍ତପାତ କରି ସେମାନଙ୍କୁ ବଶତା ସ୍ବୀକାର କରିବାକୁ ଯାଇ ତାଲିବାନ୍‌ ଅନେକାଂଶରେ ସଫଳ ହୋଇଥିବା ଦେଖିବା ପରେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌), ହକ୍କାନି ନେଟ୍‌ଓ୍ବର୍କ, ଲଶ୍କର-ଇ-ତୋଇବା (ଏଲ୍‌ଇଟି) ଓ ଜୈଶ-ଇ-ମହମ୍ମଦ (ଜେଇଏମ୍‌) ମଧ୍ୟ ଉତ୍ସାହିତ ହୋଇପଡ଼ିଛନ୍ତି। ତାଲିବାନ୍‌ ସରକାରରେ ସେମାନଙ୍କ ଯୋଗଦାନ ରହିବା ଦରକାର ବୋଲି ଭାବିନେଲେଣି। ଏବେ ତାଲିବାନ୍‌ ଓ ହକ୍କାନି ମଧ୍ୟରେ ଚାଲିଥିବା ବିବାଦକୁ ସମାଧାନ କରିବା ସକାଶେ ପାକିସ୍ତାନ ଆଇଏସ୍‌ଆଇ ମୁଖ୍ୟ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଫୈଜ ହମିଦ୍‌ ଆଫଗାନିସ୍ତାନ ରାଜଧାନୀ କାବୁଲରେ ପହଞ୍ଚତ୍ ମଧ୍ୟସ୍ଥତା କାର୍ଯ୍ୟରେ ଲାଗିଛନ୍ତି।
ଏଠାରେ ଲକ୍ଷ୍ୟ କରାଯାଇପାରେ ଯେ, ମୁଲ୍ଲା ବରାଦରଙ୍କୁ ଚିକିତ୍ସା ପାଇଁ ପାକିସ୍ତାନ ନିଆଯାଇଛି। କାବୁଲରେ ସ୍ଥିତି ଅସମ୍ଭାଳ ହେବାର ଖବର ପ୍ରକାଶ ପାଇବା ପରେ ଆଇଏସ୍‌ଆଇ ମୁଖ୍ୟ ହମିଦ ଆଫଗାନିସ୍ତାନରେ ପହଞ୍ଚି ମିଳାମିଶାର ପ୍ରୟାସ ଆରମ୍ଭ କରିଛନ୍ତି। ଏହି ଦୁଇଟି ଖବରକୁ ଏକସଙ୍ଗେ ଦେଖିଲେ ସ୍ପଷ୍ଟ ବୁଝାପଡ଼ୁଛି ଯେ, ଆଗାମୀ ସମୟରେ ଆଫଗାନିସ୍ତାନ ସରକାର ଯିଏବି ଗଠନ କଲେ ମଧ୍ୟ ତା’ସମ୍ପୂର୍ଣ୍ଣ ଭାବେ ପାକିସ୍ତାନ କବଳରେ ରହିବ। ସମ୍ଭବତଃ ସେଥିପାଇଁ ଉଭୟ ଚାଇନା ଓ ରୁଷିଆ ଭଳି ବୃହତ୍‌ ସୀମାନ୍ତ ଦେଶଦୁହଁିଙ୍କର ଆଫଗାନିସ୍ତାନ ସହ ସୁସମ୍ପର୍କ ରକ୍ଷା କରିବା ପାଇଁ ପାକିସ୍ତାନ ଏକମାତ୍ର ମାଧ୍ୟମ ସାଜିଛି। ଏଥିରୁ ଆଇଏସ୍‌ଆଇର ଅନ୍ତର୍ଜାତୀୟ ପ୍ରଭାବକୁ ଏବେ ବିଶ୍ୱ ସ୍ବୀକାର କରିବାକୁ ବାଧ୍ୟ ହେଉଛି। ଅର୍ଥନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଦୁର୍ବଳ ସତ୍ତ୍ୱେ ପାକିସ୍ତାନର ସାମରିକ ରାଜନୀତି ଓ ଗୋଇନ୍ଦା ପ୍ରଭାବ ଖୁବ୍‌ ଶକ୍ତିଶାଳୀ ଅଛି ବୋଲି ଆଫଗାନିସ୍ତାନ ବ୍ୟାପାରରୁ ପ୍ରମାଣ ମିଳୁଛି। ଆଫଗାନିସ୍ତାନ ସମ୍ପର୍କିତ ଖବର ପଢ଼ିଲେ ସବୁ ବଡ଼ ଦେଶର ବହିର୍ବ୍ୟାପାର ମନ୍ତ୍ରୀମାନେ ପାକିସ୍ତାନର ସେନାଧ୍ୟକ୍ଷ ଜେନେରାଲ କମର ଜାଭେଦ ବାଜଓ୍ବା ଏବଂ ଆଇଏସ୍‌ଆଇ ମୁଖ୍ୟ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଫୈଜ ହମିଦ୍‌ଙ୍କୁ ଭେଟି ଗୁହାରି କରୁଛନ୍ତି। ଆଫଗାନିସ୍ତାନରେ ଆମେରିକାର ପରାଜୟ, ପାକିସ୍ତାନର ବିଜୟରେ ପରିଣତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

ମାତୃଭାଷା ଓ ସାମଗ୍ରିକ ପ୍ରଗତି

ଜଗତୀକରଣ, ପ୍ରଯୁକ୍ତି ବିପ୍ଳବ ଓ ଆର୍ଥିକ ପ୍ରତିସ୍ପର୍ଦ୍ଧାର ଏହି ଯୁଗରେ ଭାଷା ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସରକାରଙ୍କ ଶିକ୍ଷାନୀତି, ଶିକ୍ଷିତ ଅଭିଭାବକଙ୍କ ଏଥିପ୍ରତି ଅନାଶକ୍ତି,…

ଡିଜିପି ନିଯୁକ୍ତିରେ ବିଳମ୍ବ

ସୁପ୍ରିମକୋର୍ଟ ‘କାର୍ଯ୍ୟକାରୀ ଡିଜିପି’ ସଂସ୍କୃତିକୁ ଏକ ଗୁରୁତର ସାଙ୍ଗଠନିକ ତ୍ରୁଟି ଭାବରେ ସୂଚିତ କରିବା ପରେ ବି ପଞ୍ଜାବ ଏବେ ନିୟମିତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri