ଘର ପଟ୍ଟା ଦାବିରେ ପୌର ଭୋଟ ବର୍ଜନ ନିଷ୍ପତ୍ତି

ରମ୍ଭା,୨୭।୨: ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦର ତିନି ନମ୍ବର ୱାର୍ଡର ବ୍ରଜମୋହନପୁର ସାହିବାସୀଙ୍କ ପକ୍ଷରୁ ଆଗାମୀ ପୌର ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନିଆଯାଇଛି। ବ୍ରଜମୋହନପୁର ସାହି ବାସିନ୍ଦାମାନେ ପ୍ରାୟ ଷାଠିଏ ବର୍ଷରୁ ଊର୍ଦ୍ଧ୍ୱ ହେଲା ଘର କରି ରହି ଏନ୍‌ଏସି ଟିକସ ପୈଠ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜମି ପଟ୍ଟା ମିଳିନାହିଁ। ଏନେଇ ଗ୍ରାମବାସୀ ଗଞ୍ଜାମ ଜିଲାପାଳ, ଉପଜିଲାପାଳ, ଖଲ୍ଲିକୋଟ ତହସିଲଦାରଙ୍କୁ ଅବଗତ କରିଥିଲେ ମଧ୍ୟ କିଛି କାର୍ଯ୍ୟକାରୀ ହୋଇନାହିଁ। ଫଳରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି ଆଗାମୀ ଏନ୍‌ଏସି ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି। ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦ ୩ ନମ୍ବର ୱାର୍ଡ ଅନ୍ତର୍ଗତ ବ୍ରଜମୋହନପୁର ଗ୍ରାମରେ ଅଢ଼େଇ ଶହ ପରିବାର ବାସ କରୁଥିବା ବେଳେ ୧୧୨୭ ଜଣ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୧୫ ପରିବାରର ପଟ୍ଟା ନ ଥିବା ହେତୁ ଅସନ୍ତୋଷ ପରିସ୍ଥିତି ଉପୁଜିଛି।