ମୃତକଙ୍କ ସାଥୀ ପାଲଟିଛନ୍ତି ମହମ୍ମଦ ନୁହ

କେନ୍ଦ୍ରାପଡ଼ା ଅଫିସ,୩ା୧: କେନ୍ଦ୍ରାପଡ଼ା ସହର ଫକୀରାବାଦ ଗ୍ରାମର ମହମ୍ମଦ ନୁହ। ବୟସ ୬୬। ୧୬ ବର୍ଷ ଧରି ନିଃସ୍ବାର୍ଥପର ଭାବେ ନିଜ ସମ୍ପ୍ରଦାୟ ମୃତକଙ୍କ ସାଥୀ ପାଲଟିଛନ୍ତି। ଗୁସନ ଓ କଫନରେ ସହଯୋଗୀ ହେବା ସହ ମୃତକଙ୍କ ଏକ ରେଜିଷ୍ଟର ପ୍ରସ୍ତୁତ କରିଛନ୍ତି। ତାଙ୍କ ସମ୍ପର୍କରେ ଗ୍ରାମର ମୀର ଅବୁ ଓବେଦା କୁହନ୍ତି, ସେ ସରଳ ଓ ଅମାୟିକ। ପେସା ବୁଲା ବେପାର ହୋଇଥିଲେ ମଧ୍ୟ ଦୀର୍ଘବର୍ଷ ଧରି ମୃତକଙ୍କ ସତ୍କାରକୁ ନିଶା କରିଛନ୍ତି। ସହରର ଯେ କୌଣସି ସ୍ଥାନରେ କେହି ରୋଗରେ ପଡିଲେ କିମ୍ବା ମୃତ୍ୟୁ ହେଲେ ହାଜର ହୋଇଯାନ୍ତି। ପରିବାର ସଦସ୍ୟଙ୍କ ସହ ମିଶି ରୋଗୀର ସେବା ଅଥବା ମୃତକଙ୍କ ସତ୍କାର କରନ୍ତି। ଏପରିକି କେତେକ କ୍ଷେତ୍ରରେ ଦୀର୍ଘଦିନ ଧରି ରୋଗରେ ପଡି ରୋଗୀର ବେଡ ଅଲସର ହେବାରୁ ପରିବାର ଲୋକ ଦୂରେଇ ଯାଇଥିବା ବେଳେ ମହମ୍ମଦ ନୁହ ସେବାରୁ ନିବୃତ୍ତ ହୋଇନାହାନ୍ତି। ସବୁଠାରୁ ବଡ଼ କଥା ଯେ, ସହରର ମୁସଲମାନ ସମ୍ପ୍ରଦାୟ ମୃତକଙ୍କ ନାମ ଓ ସ୍ଥାନର ଏକ ରେଜିଷ୍ଟର ପ୍ରସ୍ତୁତ କରିଛନ୍ତି। ଏ ସମ୍ପର୍କରେ ମହମ୍ମଦ ନୁହ କହିଛନ୍ତି, ୨୦୦୪ ମସିହାର ଏକ ଘଟଣା ଏହି ଦିଗ ପ୍ରତି ଆକର୍ଷିତ କରିଛି। ଜଣେ ବ୍ୟକ୍ତି ରୋଗରେ ପଡି ଛଟପଟ ହେଉଥିବା ବେଳେ ପରିବାର ସଦସ୍ୟ ଏହାକୁ ଅଣଦେଖା କରିଥିଲେ। ଏହାକୁ ଦେଖି ସେବା କରିବା ଦିଗରେ ମନ ବଳାଇଲି। ୧୬ ବର୍ଷ ମଧ୍ୟରେ ସହରର ୭ ହଜାରରୁ ଊର୍ଦ୍ଧ୍ୱ ମୃତକଙ୍କ ସତ୍କାର କରିଛି। ରେଜିଷ୍ଟରର ତଥ୍ୟ ଅନୁଯାୟୀ, ସଂଖ୍ୟାଲଘୁ ସମ୍ପ୍ରଦାୟର ୭୦ ପୁରୁଷ ଓ ୪୮ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ମୃତଦେହ ସତ୍କାରରେ ସାମିଲ ହୋଇଛନ୍ତି।