ପୂର୍ବତନ ଜିଲା ଜଜ୍‌ କୃଷ୍ଣଚନ୍ଦ୍ର କରଙ୍କ ପରଲୋକ

କେନ୍ଦ୍ରାପଡ଼ା ଅଫିସ, ୨୬ା୮: ୧୯୮୦ରେ ଛବିରାଣୀ ହତ୍ୟାକାଣ୍ଡର ରାୟ ଦେଇଥିବା ପୂର୍ବତନ ଜିଲା ଜଜ୍‌ କୃଷ୍ଣ ଚନ୍ଦ୍ର କରଙ୍କର ମଙ୍ଗଳବାର ପରଲୋକ ହୋଇଛି। ୯୧ ବର୍ଷୀୟ କରଙ୍କର କେନ୍ଦ୍ରାପଡ଼ା ସହର ସାନମଙ୍ଗଳାସ୍ଥିତ ବାସଭବନରେ ହୃଦ୍‌ଘାତ ଯୋଗୁ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ୧୯୮୦ ଅକ୍ଟୋବର ୩ରେ ଛବିରାଣୀ ମହାପାତ୍ର (୨୩) ହତ୍ୟାକାଣ୍ଡ ଘଟିଥିଲା। ଏକ ଖବର ପ୍ରକାଶ ନେଇ କେତେଜଣ ଦୁର୍ବୃତ୍ତ ତାଙ୍କ ସ୍ବାମୀ ନବକୃଷ୍ଣ ମହାପାତ୍ରଙ୍କୁ ମାରିବା ପାଇଁ ଉଦ୍ୟମ କରିଥିଲେ। ଏ ସମ୍ପର୍କରେ ସୂଚନା ମିଳିବା ପରେ ନବକୃଷ୍ଣ ତାଙ୍କ ସ୍ତ୍ରୀ ଓ ପୁଅକୁ ଧରି ସ୍ଥାନ ଛାଡି ପଳାଇ ଯାଉଥିଲେ ା ତେବେ ଜଗତ୍‌ସିଂହପୁର ଜିଲା ବିଲୁଆଖାଇ ନଦୀ ଶଯ୍ୟାରେ ଦୁର୍ବୃତ୍ତମାନେ ଛବିରାଣୀଙ୍କୁ ଗଣବଳାତ୍କାର ପରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ବିଚାର କରି ତତ୍କାଳୀନ ଜଟକ ଜିଲା ଜଜ୍‌ ସ୍ବର୍ଗତ କର ଅଭିଯୁକ୍ତ ଦିବାକାର ନାୟକ, ରାଜୁ ରାଓ ଦୋରା, ବୀରବର ମାଣିଆ, ବାବାଜୀ ମାଣିଆ, ବୀର ବେହେରା, ସୁରେନ୍ଦ୍ର ବାରିକ, କେଳୁଚରଣ ଦାସ ଓ ମାଧ ତନ୍ତିଙ୍କୁ ସିଆରପିସି ଧାରା ୩୭୬, ୩୦୨ ଓ ୩୪ରେ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ଦୋଷୀଙ୍କ ପକ୍ଷରୁ ଅପିଲ ପରେ ଓଡିଶା ଉଚ୍ଚ ନ୍ୟାୟାଳୟ ଏମାନଙ୍କୁ ୧୯୯୩ରେ ଖଲାସ କରିଥିଲେ। ତେବେ ୨୦୦୨ରେ ସର୍ବୋଚ୍ଚ ନ୍ୟାୟାଳୟ ଏହାର ଚୂଡାନ୍ତ ରାୟ ପ୍ରକାଶ କରିଥିଲେ। ଏହି ରାୟରେ ଜିଲା ଜଜ୍‌ଙ୍କ ଆଜୀବନ କାରାଦଣ୍ଡକୁ କାଏମ ରଖାଯାଇଥିଲା। ସ୍ବର୍ଗତ କର ଅବସର ପରେ କେନ୍ଦ୍ରାପଡାରେ ରହି ସାମାଜିକ କର୍ମରେ ଲିପ୍ତ ଥିଲେ। ତାଙ୍କର ମୃତ୍ୟୁ ଖବର ଜଣାପଡିବା ପରେ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।