ପିପିଲି ଉପନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ

ପୁରୀ ଅଫିସ୍‌,୧୪।୪: ପିପିଲି ଉପନିର୍ବାଚନ ପୂର୍ବରୁ ଏକ ଦୁଃଖଦ ଖବର ଆସିଛି। ଏହି ନିର୍ବାଚନରେ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବୁଧବାର ପରଲୋକ ଘଟିଛି। ଗତ କିଛିଦିନ ହେବ ସେ କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଅପରାହ୍ନରେ ତାଙ୍କ ପରଲୋକ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଅଜିତ୍‌ଙ୍କ ପରଲୋକ ଘଟଣା ସମ୍ପର୍କରେ ଜାଣିବା ପରେ ଜଣେ ପରେ ଜଣେ କଂଗ୍ରେସ ନେତା ହସ୍ପିଟାଲରେ ପହଞ୍ଚିଛନ୍ତି। କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି, ରମେଶ ଜେନା ହସ୍ପିଟାଲ ପରିସରରେ ଉପସ୍ଥିତ ଅଛନ୍ତି। ଦଳୀୟ ପ୍ରାର୍ଥୀଙ୍କ ମୃତ୍ୟୁରେ ସେମାନେ ଶୋକପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଏପ୍ରିଲ ୧୭ରେ ପିପିଲି ଉନିର୍ବାଚନ ଅନୁଷ୍ଠିତ ହେବାର ଥିଲା। ଏହାର ୩ ଦିନ ପୂର୍ବରୁ ଅଜିତଙ୍କ ପରଲୋକ ଘଟିଛି। ଏବେ ସେଠାରେ ନିର୍ବାଚନ ହେବ କି ନାହିଁ ସେନେଇ କୌଣସି ସୂଚନା ମିଳିନାହିଁ।