ଦକ୍ଷତା ରିପୋର୍ଟ ପ୍ରଦାନ ଅବଧି ସେପ୍ଟେମ୍ବର ୧୫କୁ ବୃଦ୍ଧି

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗ୍ରୁପ ‘ଏ’ ଏବଂ ‘ବି’ ଅଫିସରମାନେ ୨୦୧୯-୨୦ ଆର୍ଥିକ ବର୍ଷରେ କରିଥିବା ନିଜ କାର୍ଯ୍ୟ ଦକ୍ଷତା ସମ୍ପର୍କିତ ମୂଲ୍ୟାଙ୍କନ ରିପୋର୍ଟ ଜୁନ୍‌ ୩୦ ମଧ୍ୟରେ ଦେବାକୁ ସ୍ଥିର କରାଯାଇଥିଲା। ମାତ୍ର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବୁଧବାର ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ଏହାକୁ ସେପ୍ଟେମ୍ବର ୧୫ ଯାଏ ବୃଦ୍ଧି କରାଯାଇଛି। ସାଧାରଣତଃ ପ୍ରତିବର୍ଷ ଅଧିକାରୀମାନେ ଏହି ରିପୋର୍ଟ ଏପ୍ରିଲ ୩୦ ସୁଦ୍ଧା ପ୍ରଦାନ କରିଥାନ୍ତି। କରୋନା ଯୋଗୁ ଏହି ସମୟ ସୀମାକୁ ପ୍ରଥମରେ ଜୁନ୍‌ ୧୦ ଯାଏ ବୃଦ୍ଧି କରାଯାଇଥିଲା। ଗ୍ରୁପ ‘ଏ’ ଏବଂ ‘ବି’ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ରିପୋର୍ଟ ଜୁନ ୩୦ ମଧ୍ୟରେ ହ୍ୟୁମାନ ରିସୋର୍ସ ମ୍ୟାନେଜମେଣ୍ଟ ସିଷ୍ଟମ୍‌ (ଏଚ୍‌ଆର୍‌ଏମ୍‌ଏସ୍‌) ମାଧ୍ୟମରେ ଦାଖଲ କରିବାକୁ କୁହାଯାଇଥିଲା। ହେଲେ ଅଫିସରମାନେ ମହାମାରୀ ମୁକାବିଲା କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ତେଣୁ ପୂର୍ବ ନିର୍ଦ୍ଧାରିତ ତାରିଖରେ ସେମାନେ ନିଜର ରିପୋର୍ଟ ପ୍ରଦାନ କରିବାରେ ସମସ୍ୟା ଭୋଗିବା ସମ୍ଭାବନା ରହିଛି। ତେଣୁ ଅଫିସରମାନେ ଏହି ରିପୋର୍ଟ ୧୫ ସେପ୍ଟେମ୍ବର ସୁଦ୍ଧା ପ୍ରଦାନ କରିବେ। ଅଫିସରମାନେ ନିଜ ରିପୋର୍ଟ ଅନ୍‌ଲାଇନ ମାଧ୍ୟମରେ ପ୍ରଦାନ କରିବେ। ଉଚ୍ଚପଦସ୍ଥ ଅଧିକାରୀମାନେ ଏହାର ସମୀକ୍ଷା କରି ୧୫ ଡିସେମ୍ବର ସୁଦ୍ଧା ସମୀକ୍ଷା ରିପୋର୍ଟ ଦେବେ। ଏ ନେଇ ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ସଚିବ ଜି.ସି. ପାତ୍ର ସମସ୍ତ ଅତିରିକ୍ତ ଶାସନ ସଚିବ, ପ୍ରମୁଖ ସଚିବ, କମିଶନରଙ୍କ ସମେତ ସବୁ ବିଭାଗର ସ୍ବତନ୍ତ୍ର ସଚିବଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।