ଛତ୍ରପୁର/ଦିଲ୍ଲୀପ ସାମଲ, ୨୦/୧୧: ସମ୍ଭାବ୍ୟ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ବାତ୍ୟା ପରବର୍ତ୍ତୀ ସ୍ଥିତି ଏବଂ ଲୋକଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ। ଏହି କ୍ରମରେ ସେ ପୋଟଲାମପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗଙ୍ଗାପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ।
ଏହି ପରିଦର୍ଶନ ସମୟରେ ଗଞ୍ଜାମ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ସମୀର କୁମାର ଜେନା, ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଜିଲାପାଳ ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ସହ ଆଲୋଚନା କରିବା ସହ ରନ୍ଧା ଖାଦ୍ୟର ମାନ ଯାଞ୍ଚ କରିଥିଲେ। ଏପରିକି ଜିଲାପାଳ ଓ ସିଡିଓ ନିଜେ ଲୋକଙ୍କୁ ରନ୍ଧା ଖାଦ୍ୟ ପରସିବା ସହ ସେମାନଙ୍କ ସୁବିଧା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ।
ପୂର୍ବରୁ ବାତ୍ୟା ‘ଅର୍ଣ୍ଣବ’ ସମୟରେ ଏହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଅନେକ ସ୍ଥାନରେ ଜଳ ପ୍ରବେଶ କରିଥିଲା। ତେଣୁ ପ୍ରଶାସନର ବିପଦପ୍ରବଣତା ଚିହ୍ନଟ ଓ ମ୍ୟାପିଂ (ଭଲନେରେବିଲିଟି ମ୍ୟାପିଂ) ଅନୁଯାୟୀ ଏହି ଅଞ୍ଚଳକୁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇ ଲୋକଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଆଶ୍ରୟସ୍ଥଳୀରେ ରହୁଥିବା ସମସ୍ତଙ୍କ ପାଇଁ ରନ୍ଧା ଖାଦ୍ୟ ସହ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଉଥିବା ଜିଲାପାଳ ସୂଚନା ଦେଇଥିଲେ।
ଜିଲାପାଳ କହିଥିଲେ ଯେ, ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ପ୍ରଶାସନ ଓ ଜନସାଧାରଣଙ୍କୁ ସଜାଗ ରହିବାକୁ ପଡ଼ିବ। ବିଶେଷକରି ଗଞ୍ଜାମ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାରୁ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ଏବେ ମଧ୍ୟ କାର୍ଯ୍ୟକ୍ଷମ ରଖାଯାଇଛି।