କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ଘଟଣା: ପଳାସପୁର ଗାଁରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍‌

ଚାନ୍ଦବାଲି,୨୫ା୩(ଡି.ଏନ୍‌.ଏ.): କ୍ୟାମେରାମ୍ୟାନ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ମାମଲାରେ ଡିଏସ୍‌ପି କଳ୍ପନା ସାହୁଙ୍କ ନେତୃତ୍ୱରେ କ୍ରାଇମ୍‌ବ୍ରାଞ୍ଚର ୫ ଜଣିଆ ଟିମ୍‌ ଶୁକ୍ରବାର ଚାନ୍ଦବାଲି ଥାନା ଅଧୀନସ୍ଥ ପଳାସପୁର ଗାଁକୁ ଯାଇ ପଚରାଉଚରା କରିଛନ୍ତି। ସେମାନଙ୍କ ସହିତ ଚାନ୍ଦବାଲି ଥାନାଧିକାରୀ କରୁଣାକର ରାଉତ ଓ ମତୋ ଫାଣ୍ଡି ଅଧିକାରୀ ବୁଦ୍ଧିରାମ ମହାନ୍ତି ଉପସ୍ଥିତ ଥିଲେ। ଏକ ବିବାହ ଉତ୍ସବରେ କନ୍ୟାପକ୍ଷର ଫଟୋ ଉତ୍ତୋଳନ କରିବାକୁ ଆସିଥିବା ବେଳେ ମାନସଙ୍କୁ ଏଠାରୁ ଶର୍ମିଷ୍ଠା ରାଉତ ଓ ତାଙ୍କର ସହଯୋଗୀ ଏକ କାର୍‌ ଯୋଗେ ଅପହରଣ କରି ନେଇଥିଲେ। ପଳାସପୁର ଗାଁର ସାମଲସାହିରେ ଅଚିନ୍ତ ରାଉତଙ୍କ ଭାଣିଜୀର ବିବାହ ଉତ୍ସବରେ ଫଟୋ ଉତ୍ତୋଳନ କରିବାକୁ ମାନସ ଫେବୃୟାରୀ ୬ ତାରିଖ ଭୁବନେଶ୍ୱରରୁ କ୍ୟାମେରା ନେଇ ଆସିଥିଲେ। ସ୍ଥାନୀୟ ଯଶୀପୁର ଅଞ୍ଚଳର ଏକ ଷ୍ଟୁଡିଓ ମାଲିକ ବିବାହ ଫଟୋ ଉଠାଇବା ପାଇଁ ଭୁବନେଶ୍ୱର ସିଆରପି ଛକର ଏକ ଷ୍ଟୁଡିଓ ସହିତ ଯୋଗାଯୋଗ କରିଥିଲେ। ସେମାନଙ୍କ ମାଧ୍ୟମରେ ପଟୋ ଉଠାଇବାକୁ ଭଡ଼ାରେ ମାନସ ଭୁବନେଶ୍ୱରରୁ ଆସି ପଳାସପୁର ଗାଁରେ ପହଞ୍ଚିଥିଲେ। ମାନସଙ୍କ ସାଙ୍ଗ ଦୀପକ ସେଠୀଙ୍କଠାରୁ ଏ ଖବର ପାଇ ଶର୍ମିଷ୍ଠା ଓ ତାଙ୍କର ଅନ୍ୟ ୪ ସହଯୋଗୀ ଏକ କାର୍‌ ଯୋଗେ ୬ ତାରିଖ ରାତିରେ ଆସି ପଳାସପୁର ଗାଁରେ ପହଞ୍ଚିଥିଲେ। ଗାଁ ଦାଣ୍ଡରେ କାର୍‌ରେ ରାତି ଯାକ ସେମାନେ ରହିଥିଲେ ମଧ୍ୟ ବରଯାତ୍ରୀ ଭାବି କେହି ଗାଁ ଲୋକ ସନ୍ଦେହ କରି ନ ଥିଲେ। ୭ ତାରିଖ ସକାଳ ପ୍ରାୟ ୮ଟା ବେଳେ ଫଟୋ ଉଠାକାମ ସାରି ମାନସ ଭୁବନେଶ୍ୱର ଫେରିବାକୁ ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ଆସୁଥିବା ବେଳେ ପଳାସପୁର ଛକ ନିକଟରେ ପୂର୍ବରୁ ପ୍ରସ୍ତୁତ ଥିବା ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ମାନସଙ୍କୁ ଉଠାଇ ନେଇ ଭୁବନେଶ୍ୱର ଦୟାଲ ଆଶ୍ରମକୁ ଯାଇଥିଲେ। ମେମୋରି ଚିପ୍ସ ଫେରାଇବାକୁ ସେଠାରେ ମାଡ଼ମାରିବା ଯୋଗୁ ମାନସଙ୍କର ମୃତ୍ୟୁ ହୋଇଥିଲା। ପରେ ମୃତଦେହକୁ ନେଇ ନୟାଗଡ଼ ଥାନା ରଣପୁର ଅଞ୍ଚଳର ଏକ ପାହାଡ଼ ତଳେ ପୋତି ଦେଇଥିଲେ। ଏ ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦୁଇଦିନ ତଳେ ତଦନ୍ତ ଆରମ୍ଭ ହୋଇଥିଲା।