ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ

ରାୟଗଡ଼ା,୩୦।୧୨(ସ୍ବ.ପ୍ର.): ବିଦାନୋଭ ଓ ପାଭେଲଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ପାଇଁ ରାୟଗଡ଼ାଠାରେ ଶୁକ୍ରବାର କ୍ରାଇମବ୍ରାଞ୍ଚର ୧୨ ଜଣିଆ ଟିମ୍‌ ଟିମ୍‌ ପହଞ୍ଚି ଡିଏସ୍‌ପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ କରିଛନ୍ତି। ଏଥିରେ ସାଇଣ୍ଟିଫିକ୍‌ ଓ ଫରେନସିକ ଟିମ୍‌ ମଧ୍ୟ ରହିଛନ୍ତି। ଶୁକ୍ରବାର ଭୋରରୁ ପହଞ୍ଚିବା ପରେ କ୍ରାଇମବ୍ରାଞ୍ଚ ଅଧିକାରୀ ଓ ଗୁରୁବାର ଅନୁସନ୍ଧାନ ପାଇଁ ଆସିଥିବା ଆଇବି ଟିମ୍‌ ମଧ୍ୟରେ ସାକ୍ଷାତ ହୋଇଥିଲା। ପାଖାପାଖି ହୋଟେଲରେ ରହୁଥିବା ଦୁଇଟି ତଦନ୍ତକାରୀ ସଂସ୍ଥା କର୍ତ୍ତୃପକ୍ଷ ମଧ୍ୟରେ ସକାଳୁ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏହାପରେ କ୍ରାଇମବ୍ରାଞ୍ଚ ଟିମ୍‌ ଘଟଣାସ୍ଥଳ ହୋଟେଲରେ ପହଞ୍ଚିଥିଲେ। ହୋଟେଲ ସାଇ ଇଣ୍ଟରନ୍ୟାଶନାଲରେ କର୍ମଚାରୀ ସହିତ ଆଲୋଚନା କରିଥିଲେ। ସେହିଭଳି ସିସିଟିଭି କ୍ୟାମେରା ଗୁଡିକ ଯାଞ୍ଚ କରିବା ପରେ ୨୦୩ ନମ୍ବର ରୁମକୁ ଯାଇଥିଲେ। ଏଥିସହ ଯେଉଁ ସ୍ଥାନରେ ପାଭେଲଙ୍କ ମୃତ୍ୟୁ ହୋଇଥିଲା ସେଠାକୁ ଯାଇଥିଲେ। ଘଟଣାସ୍ଥଳରେ ଫଟୋ ଓ ଭିଡିଓଗ୍ରାଫି କରିବା ସହିତ ସେଠାରେ କିଛି ସାମଗ୍ରୀ ଜବତ କରିଛନ୍ତି। ସମସ୍ତ ଦିଗକୁ ନେଇ ଆମେ ତଦନ୍ତ କରୁଛୁ ବୋଲି କ୍ରାଇମବ୍ରାଞ୍ଚ ଡିଏସ୍‌ପି ସରୋଜକାନ୍ତ ମହାନ୍ତ କହିଛନ୍ତି।