ମମିତା ହତ୍ୟା ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ

କଟକ ଅଫିସ,୨୩।୧୨: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ବନ୍ଦ ଲଫାପା ମଧ୍ୟରେ ଷ୍ଟାଟସ ରିପୋର୍ଟ ଗୁରୁବାର ହାଇକୋର୍ଟରେ ଦାଖଲ କରିଛି। ମମିତାଙ୍କ ବାପା ଏବଂ ଭାଇ ଦାଏର କରିଥିବା ମାମଲାରେ ଏହି ଷ୍ଟାଟସ ରିପୋର୍ଟ ଦାଖଲ ହୋଇଛି। ଆସନ୍ତା ଜାନୁଆରୀ ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଅନ୍ୟପକ୍ଷେ, ଏହି ଘଟଣାରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଇଣ୍ଟରଭିନର ପିଟିସନ ଦାଖଲ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଦୀପ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସୂଚନାଯୋଗ୍ୟ, ଗତ ନଭେମ୍ବର ୧୬ରେ ତଦନ୍ତ ବିଳମ୍ବ ଘଟୁଥିବାରୁ ତ୍ୱରିତ ଶୁଣାଣି ଓ ଫାଷ୍ଟଟ୍ରାକ କୋର୍ଟରେ ବିଚାର କରିବା ପାଇଁ ମମିତାଙ୍କ ବାପା ସୁଚନ୍ଦ୍ର ମେହେର ଓ ଭାଇ ବଣ୍ଟି ମେହେର ହାଇକୋର୍ଟରେ ଆବେଦନ କରିଥିଲେ। ଗତ ୧୮ରେ ହାଇକୋର୍ଟ ଏହାର ଶୁଣାଣି କରି ତଦନ୍ତର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ରାଜ୍ୟ ଗୃହ ସଚିବ, ପୋଲିସ ମହାନିର୍ଦ୍ଦେଶକ, ବଲାଙ୍ଗୀର ଜିଲାପାଳ, ଏସ୍‌ପି, ସିନ୍ଧେକେଲା ଥାନା ଅଧିକାରୀଙ୍କ ପକ୍ଷଭୁକ୍ତ କରାଯାଇଛି।