ପ୍ରେମରେ ବିଫଳ ହେବାରୁ ଛାତ୍ରୀଙ୍କ ଚୁଟି କାଟିଲେ, ଶୌଚାଳୟରେ କିରୋସିନି ଢାଳି ପୋଡ଼ି ମାରିଦେଲେ

ଖଇରା,୨୪।୭: ବାଲେଶ୍ବର ଜିଲା ଖଇରା ଥାନା କୁରୁଣ୍ଟା ପଞ୍ଚାୟତ ବାରିଙ୍ଗିଆ ଗ୍ରାମରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ପୋଡ଼ି ମାରିଦିଆଯାଇଥିବା ଅଭିଯୋଗ ହୋଇଛି। ସେହି ଗ୍ରାମର ଦୟାନିଧି ଜେନା ନାମକ ଯୁବକ ତାଙ୍କୁ ପୋଡି ମାରିଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ଗିରଫ କରିଛି । ପ୍ରେମ ଘଟଣାକୁ କେନ୍ଦ୍ର କରି ସେ ନାବାଳିକାଙ୍କୁ ହତ୍ୟା କରିଥିବା କୁହାଯାଉଛି ।

ରବିବାର ସକାଳେ ଦୟାନିଧି ଛାତ୍ରୀଙ୍କୁ ଏକ ଶୌଚାଳୟ ଭିତରକୁ ଡାକି କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଏପରିକି ମାରିବା ପୁର୍ବରୁ ରାଗରେ ନାବାଳିକାଙ୍କ ଚୁଟି ମଧ୍ୟ କାଟି ଦେଇଥିଲେ। ନାବାଳିକାଙ୍କ ପାଟିଶୁଣି ଲୋକମାନେ ପହଞ୍ଚିବା ପୁର୍ବରୁ ତାଙ୍କର ମୃତ୍ୟୁ ହୋଇ ସାରିଥିବା ନେଇ ଜଣାପଡ଼ିଛି।