ଗହଳି କମାଇଛି କୋଭିଡ୍‌ ରିପୋର୍ଟ

ପୁରୀ ଅଫିସ,୫।୧: ଶ୍ରୀମନ୍ଦିରରେ ଦର୍ଶନ ପାଇଁ ରବିବାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। ପ୍ରାୟ ୪ ହଜାର ଭକ୍ତ ଦାରୁଦିଅଙ୍କ ଦର୍ଶନ କରିଥିଲେ। ତେଣୁ ଆଗାମୀ ଦିନଗୁଡ଼ିକରେ ଭକ୍ତଙ୍କ ସଂଖ୍ୟା ବଢ଼ିବ ବୋଲି ଅନୁମାନ କରାଯାଉଥିଲା। ମାତ୍ର ସୋମବାର ଶ୍ରଦ୍ଧାଳୁଙ୍କ ସଂଖ୍ୟା କମ୍‌ ଥିଲା। ସନ୍ଧ୍ୟା ବେଳେ କିଛି ସମୟ ଲାଗି ଗହଳି ହୋଇଥିଲେ ମଧ୍ୟ ଦିନତମାମ୍‌ ବ୍ୟାରିକେଡ୍‌ଗୁଡ଼ିକ ଫାଙ୍କା ପଡ଼ିଥିଲା। ମୋଟ ୨୧ ଶହ ଭକ୍ତ ଦର୍ଶନ କରିଥିବା ସୂଚନା ମିଳିଛି। ଏହାର କାରଣ କୋଭିଡ୍‌ ରିପୋର୍ଟ ବୋଲି ଜଣାପଡ଼ିଛି। ମହାପ୍ରଭୁଙ୍କ ଦର୍ଶନ ଲାଗି ଲୋକଙ୍କର ଉତ୍ସାହ ରହିଥିଲେ ମଧ୍ୟ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଆଣିବା ବାଧ୍ୟତାମୂଳକ ହୋଇଥିବାରୁ ଏହା ସମସ୍ୟା ସୃଷ୍ଟି କରୁଛି। ଭକ୍ତ-ଭଗବାନଙ୍କ ମିଳନରେ ଏହା ଏକପ୍ରକାର ବାଧକ ସାଜିଛି। ସେହିଭଳି ମନ୍ଦିର ପ୍ରବେଶ ପାଇଁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଜରୁରୀ ହୋଇଥିବାରୁ ପୁରୀ ସହରବାସୀ ମଧ୍ୟ କୋଭିଡ୍‌ ଟେଷ୍ଟ କରାଇବା ନେଇ ଆଗ୍ରହ ପ୍ରକାଶ କରୁନାହାନ୍ତି। ଅନ୍ୟପକ୍ଷରେ ସୋମବାର ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ୪ଟା ୩୦ ମିନିଟରେ ହୋଇଥିବାବେଳେ ସକାଳ ୭ଟା ୩୦ରୁ ଦର୍ଶନ ଆରମ୍ଭ ହୋଇଥିଲା। ପ୍ରଥମେ ଗହଳି ହୋଇଥିଲେ ମଧ୍ୟ ପରେ ଚିତ୍ର ଭିନ୍ନ ରହିଥିଲା। ଶ୍ରୀମନ୍ଦିର ହୁଣ୍ଡିରୁ ସୋମବାର ୮୬,୬୬୩ ଟଙ୍କା ଓ ୧୪ ଗ୍ରାମ ୫ଶହ ମିଲିଗ୍ରାମର ରୁପା ମିଳିଛି। ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ରହିଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ୍‌ ବ୍ୟବସ୍ଥାର ସୁପରିଚାଳନା କରାଯାଇଛି।