କଟକରେ ଦୈନିକ ୩ ଘଣ୍ଟା ଖୋଲିବ କୋର୍ଟ

କଟକ ଅଫିସ,୩ା୮: କଟକ ଜିଲାରେ ଲକ୍‌ଡାଉନ ଜାରି ରହିଥିବା ବେଳେ ପୂର୍ବ ଅପେକ୍ଷା କେତେକ କଟକଣା କୋହଳ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜିଲାରେ କୋର୍ଟଗୁଡ଼ିକ କାର୍ଯ୍ୟ କରିବା ନେଇ ଜିଲା ଜଜ୍‌ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜିଲାର ସମସ୍ତ କୋର୍ଟ ପୂର୍ବାହ୍ନ ସାଢ଼େ ୧୦ରୁ ଅପରାହ୍ନ ସାଢ଼େ ଗୋଟାଏ ଯାଏ ଖୋଲା ରହିବ। କେବଳ ଅତି ଜରୁରୀ ମାମଲାର ଶୁଣାଣି କରାଯିବ। ଭିଡିଓ କନଫରେନ୍ସ ଓ ଭର୍ଚୁଆଲ ମୋଡରେ ଶୁଣାଣି ହେବ। ଅତି ଆବଶ୍ୟକ ପଡ଼ିଲେ କିମ୍ବା ଭିଡିଓ କନଫରେନ୍ସ ସୁବିଧା ନ ଥିଲେ ଫିଜିକାଲ୍‌ ହିୟରିଂ ହୋଇପାରିବ। ସପ୍ତାହାନ୍ତ ଶଟ୍‌ଡାଉନ ଯୋଗୁ ଶନିବାର କୋର୍ଟ ଓ କାର୍ଯ୍ୟାଳୟ ବନ୍ଦ ରହିବ। ଖୁବ୍‌ କମ୍‌ ସଂଖ୍ୟକ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ। ଯଦି କେଉଁ ଅଞ୍ଚଳରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଏ, ତେବେ ସଂପୃକ୍ତ ପ୍ରିଜାଇଡିଂ ଅଫିସର ଏନେଇ କୋର୍ଟଙ୍କୁ ଅବଗତ କରିବେ।