ଚାକିରି କରାଇଦେବା ନାଁରେ ଠକେଇ ମାମଲା: ହାଇକୋର୍ଟରେ ବର୍ଷାଙ୍କୁ ଆଶ୍ୱସ୍ତି

କଟକ ଅଫିସ,୨୧ା୨: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାମରେ ଭୁବନେଶ୍ୱର ଶହୀଦନଗର ଓ ଚନ୍ଦ୍ରଶେଖରପୁର ଥାନାରେ ହୋଇଥିବା ଦୁଇଟି ମାମଲାରେ କୌଣସି ସତ୍ୟତା ନାହିଁ। ଭୁବନେଶ୍ବର ଡିସିପି ଏନେଇ ହାଇକୋର୍ଟଙ୍କୁ ଅବଗତ କରାଇବା ପରେ ଉଭୟ ମାମଲାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କୋର୍ଟ। ଦୁଇଟିଯାକ ମାମଲାରେ ଏତଲାକାରୀ ପରୋକ୍ଷ ଇଙ୍ଗିତରେ ଅଭିଯୋଗ କରିଥିବା ନେଇ ଡିସିପି ହାଇକୋର୍ଟଙ୍କୁ ଅବଗତ କରାଇଥିଲେ।

ସୂଚନାଯୋଗ୍ୟ, ଚାକିରି କରାଇଦେବା ପାଇଁ ବର୍ଷା ଟଙ୍କା ଠକିଥିବା ଶହୀଦନଗର ଥାନାରେ ଅଭିଯୋଗ ହୋଇଥିଲା। ସେହିପରି ଚନ୍ଦ୍ରଶେଖରପୁର ଥାନାରେ ବର୍ଷାଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଅଭିଯୋଗ ହୋଇଥିଲା। ଏହି ମାମଲାର ସତ୍ୟତା ଯାଞ୍ଚ ପାଇଁ ଭୁବନେଶ୍ବର ଡିସିପିଙ୍କୁ ହାଇକୋର୍ଟ ଜାନୁୟାରୀ ୫ରେ ନିର୍ଦ୍ଦେଶ ଦେଇଥିଲେ। କ୍ୟାପିଟାଲ ଥାନା ଅନ୍ତର୍ଗତ କେଦାରପଲ୍ଲୀ ଅଞ୍ଚଳର ଜଣେ ଯୁବତୀଙ୍କୁ ବର୍ଷା ଜାତିଆଣ ଆକ୍ଷେପ କରିଥିବା ନେଇ ଚନ୍ଦ୍ରଶେଖରପୁର ଥାନାରେ ଗତ ଜୁଲାଇରେ ସେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଥାନାରେ ପଞ୍ଜୀକରଣ ନ ହେବାରୁ ଅଭିଯୋଗକାରିଣୀ ଡିସିପିଙ୍କୁ ରେଜିଷ୍ଟ୍ରି ପୋଷ୍ଟ ଯୋଗେ ଅଭିଯୋଗ ପଠାଇଥିଲେ। ଏହାସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ପରେ ଅଭିଯୋଗକାରିଣୀ ଏ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।