କୁବେର ଯନ୍ତ୍ରୀଙ୍କ ଦୁର୍ନୀତି ଗୁମର ଖୋଲିବ

ଭୁବନେଶ୍ୱର,୧୨।୪(ବ୍ୟୁରୋ):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିବା ଗଞ୍ଜାମ ଜିଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କୁ ପୁଣି ଥରେ ରିମାଣ୍ଡରେ ଆଣିଛି ଭିଜିଲାନ୍ସ। ଗତ ୮ ତାରିଖରେ ସେ ପ୍ରଥମେ ରିମାଣ୍ଡରେ ଆସିଥିଲେ। ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ତିନିଦିନ ଧରି ପଚରାଉଚରା କରିବା ସହ ପୁଳା ପୁଳା ଟଙ୍କା, ସୁନା ବିସ୍କୁଟ, ଅଳଙ୍କାର ଆଦି ବାହାର କରିଥିଲେ। ଭୁବନେଶ୍ୱରସ୍ଥିତ କାର୍ତ୍ତିକେଶ୍ୱରଙ୍କ ବାସଗୃହ ସମେତ ଦ୍ୱିତୀୟ ସ୍ତ୍ରୀଙ୍କ ଘର ଓ ଶାଳୀଙ୍କ ଘରୁ ନଗଦ ୩କୋଟି ୪୧ଲକ୍ଷ ୬୬ହଜାର ଟଙ୍କା ଜବତ ହୋଇଥିବାବେଳେ ତାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ୭ କୋଟି ୪୮ ଲକ୍ଷ ୬୨ ହଜାରକୁ ବୃଦ୍ଧି ପାଇଥିଲା। ଏହା ତାଙ୍କ ଆୟଠାରୁ ୧୧୦୮ ପ୍ରତିଶତ ବୋଲି ଭିଜିଲାନ୍ସ କହିଥିଲା। ତେବେ ସେ ସରକାରୀ ପଦର ଦୁରୁପଯୋଗ କରି ଏସବୁ ବିପୁଳ ସମ୍ପତ୍ତି ଠୁଳ କରିଥିବା ଜଣାପଡିଥିଲା। ଏହି ଦୁର୍ନୀତି ଟଙ୍କାର ପରିମାଣ ବଢ଼ିବା ସମ୍ଭାବନା ଥିବାରୁ କାର୍ତ୍ତିକେଶ୍ୱରଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଆଣିବାକୁ ଭିଜିଲାନ୍ସ ଯୋଜନା କରିଥିଲା। ତେଣୁ ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ସୋମବାର ଭୁବନେଶ୍ୱରସ୍ଥିତ ଭିଜିଲାନ୍ସର ସ୍ବତନ୍ତ୍ର କୋର୍ଟରେ ହାଜର କରିବା ସହ ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା। ହେଲେ କୋର୍ଟ ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଥିବାବେଳେ ସୋମବାରଠାରୁ ଏହା ଲାଗୁ ହୋଇଛି। ଏତେ ଟଙ୍କା ସେ କେମିତି ହାତେଇଲେ, ଆଉ କେଉଁଠି ତାଙ୍କର ସମ୍ପତ୍ତି ରହିଛି, ତାହାର ଗୁମର ଖୋଲିବାକୁ ଘନଘନ ଜେରା କରୁଛି ଭିଜିଲାନ୍ସ ଟିମ୍‌।
କାର୍ତ୍ତିକେଶ୍ୱରଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ବୁଧବାର ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ସରକାରୀ ବାସଭବନ, କାର୍ଯ୍ୟାଳୟ, ଖଲ୍ଲିକୋଟ ଓ ଭୁବନେଶ୍ୱର ଆଦି ୬ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଖଲ୍ଲିକୋଟ ଲଙ୍ଗଳେଶ୍ୱରସ୍ଥିତ ପୈତୃକ ଘର, ଭୁବନେଶ୍ୱର ଖଣ୍ଡଗିରି କସ୍ମୋପଲିସ୍‌ ରେସିଡେନ୍ସିର ୨ ବିଏଚ୍‌କେ ଫ୍ଲାଟ୍‌, ତୁସ୍ତି ରେସିଡେନ୍ସିରେ ଥିବା ୩ ବିଏଚ୍‌କେ ଫ୍ଲାଟ, ଜାଗମରାସ୍ଥିତ ଦୁଇ ମହଲା ଘର ସମେତ ଗଞ୍ଜାମରେ ୫ଟି ଓ ଭୁବନେଶ୍ୱରରେ ୨ଟି ପ୍ଲଟ୍‌ ଠାବ ହୋଇଥିଲା। ଯାଞ୍ଚରୁ ନଗଦ ୨ ଲକ୍ଷ ୫୦ ହଜାର ୮୮୦ ଟଙ୍କା, ୩୭.୨୩ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍‌, ବ୍ୟାଙ୍କ ଓ ଇନ୍‌ସ୍ୟୁରାନ୍ସ ଡିପୋଜିଟ୍‌, ଘରେ ଥିବା ୧୭.୯୫ ଲକ୍ଷ ଟଙ୍କାର ସାମଗ୍ରୀ, ଗୋଟିଏ ୧୪ ଲକ୍ଷ ଟଙ୍କାର ଚାରି ଚକିଆ ଯାନ, ୨ଟି ବାଇକ୍‌ ଓ ୫.୭୨ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର ଆଦି ମିଳିଛି। ଠାବ ହୋଇଥିବା ସମ୍ପତ୍ତିର ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଭିଜିଲାନ୍ସ କାର୍ତ୍ତିକେଶ୍ୱରଙ୍କୁ ଶୁକ୍ରବାର ଗିରଫ କରିଥିଲା। ପରେ ତାଙ୍କ ଦ୍ୱିତୀୟ ସ୍ତ୍ରୀ କଳ୍ପନା ପ୍ରଧାନଙ୍କ ଭୁବନେଶ୍ୱର ଆଇଗିଣିଆଠାରେ ଥିବା ଟାଟା ଆରିଆନାସ୍ଥିତ ଘରୁ ନଗଦ ୨ କୋଟି ୨୯ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍, ୫୮୦ ଗ୍ରାମର ୨୦ଟି ସୁନା ବିସ୍କୁଟ୍‌ ଜବତ କରିଥିବାବେଳେ ସାଲିଆ ସାହିରେ ରହୁଥିବା କାର୍ତ୍ତିକେଶ୍ୱରଙ୍କ ଶାଳୀ ତଥା କଳ୍ପନାଙ୍କ ଭଉଣୀ ରହୁଥିବା ଝୁମ୍ପୁଡି ଘରୁ ନଗଦ ୧ କୋଟି ୪୧ ଲକ୍ଷ ୬୨ ହଜାର ୪୦୦ ଟଙ୍କା ଓ ୩୬୦ ଗ୍ରାମ ସୁନା ସହ ୧୦୦୪ ଗ୍ରାମ ରୁପା ମଧ୍ୟ ଜବତ କରି ତାଙ୍କୁ ମଧ୍ୟ ଗିରଫ କରିଥିଲା