Categories: ରାଜ୍ୟ

କନ୍‌ଷ୍ଟେବଳଙ୍କୁ ଜିଅନ୍ତା ଜାଳିଦେଲେ

ବୌଦ୍ଧ/ବାଉଁଶୁଣୀ,୧।୩: ବୌଦ୍ଧ ଜିଲା ବାଉଁଶୁଣୀ ଥାନା ଅଧୀନ ମଲିକପଡା ଗ୍ରାମରେ ଗତ ରବିବାର ରାତିରେ ଜଣେ ପୋଲିସ କନ୍‌ଷ୍ଟେବଳଙ୍କୁ ତାଙ୍କ ଅନ୍ୟ ଦୁଇଭାଇ ଜିଅନ୍ତା ପୋଡି ହତ୍ୟା କରିଛନ୍ତି। ମୃତକ ହେଲେ ସନ୍ତୋଷ ଜାନୀ (୩୨)। ଖବର ପାଇ ବାଉଁଶୁଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦରପୋଡା ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଇଛି। ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ। ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ। ହତ୍ୟାକାରୀ ଦୁଇଭାଇଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୁବାସ ଚନ୍ଦ୍ର ରାୟଗୁରୁ ପ୍ରକାଶ କରିଛନ୍ତି। ମୃତକଙ୍କ ସ୍ତ୍ରୀ ସଙ୍ଗୀତା ଜାନୀଙ୍କ ଅଭିଯୋଗକୁ ଭିତ୍ତି କରି ବାଉଁଶୁଣୀ ଥାନାରେ ଏକ ମାମଲା (ନଂ.୨୬/୨୧) ରୁଜୁ ହୋଇଛି ।
ପୋଲିସ ସୂଚନା ମୁତାବକ, ମଲିକପଡ଼ା ଗ୍ରାମର ସନ୍ତୋଷ ବୌଦ୍ଧ ପୋଲିସରେ ଏସ୍‌ପିଓ ଚାକିରି ଆରମ୍ଭ କରି କନ୍‌ଷ୍ଟେବଳ ପଦବୀକୁ ପଦୋନ୍ନତି ପାଇଥିଲେ। ତାଙ୍କର ବାଉଁଶୁଣୀ ଥାନାକୁ ବଦଳି ହୋଇଥିଲା ଏବଂ ସେ ମାର୍ଚ୍ଚ ୧ରେ କାର୍ଯ୍ୟରେ ଯୋଗ ଦେଇଥାନ୍ତେ। ରବିବାର ରାତିରେ ସନ୍ତୋଷ ଡ୍ୟୁଟିରୁ ଘରକୁ ଫେରିଥିଲେ। ଏହି ସମୟରେ କୌଣସି କାରଣରୁ ବଡଭାଇ ପ୍ରଶାନ୍ତ ଜାନୀ (୪୦) ଓ ସାର୍ତ୍ତିକ ଜାନୀ (୩୬)ଙ୍କ ସହ ସନ୍ତୋଷଙ୍କ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରଶାନ୍ତ ଏବଂ ସାର୍ତ୍ତିକ କାଠ ଫାଳିଆରେ ତାଙ୍କୁ ପିଟିଥିଲେ। ପରେ ସେମାନେ ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ଘର ସାମ୍ନା ରାସ୍ତା କଡ ଖଜୁରୀ ଗଛମୂଳକୁ ନେଇ ନିଆଁ ଲଗାଇ ପୋଡ଼ି ଦେଇ ଫେରାର ହୋଇଯାଇଥିଲେ। ଉଲ୍ଲେଖନୀୟ, ଦୁଇବର୍ଷ ତଳେ ମୃତ ସନ୍ତୋଷଙ୍କ ବଡଭାଇ ପ୍ରଶାନ୍ତ ଏକ ହତ୍ୟା ମାମଲାରେ ଜେଲ୍‌ ଯାଇଥିଲେ। କିଛି ଦିନ ହେବ ସେ ଜାମିନରେ ଆସିଥିଲେ।